ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା କରି ହେବ ନାହିଁ। ଏଣୁ ଛାତ୍ରୀଛାତ୍ରମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ଏବଂ ନୂତନ ଉଦ୍ଭାବନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତି ବିଦ୍ୟାଳୟମାନଙ୍କରେ ଅନୁଷ୍ଠିତ ହୋଇଥାଏ ବିଜ୍ଞାନ ମେଳା । ଚଳିତ ବର୍ଷ ଜିଲା ଶିକ୍ଷାଧିକାରୀ ଡ ମାୟାଧର ସାହୁ ଏବଂ ଜିଲା ବିଜ୍ଞାନ ନିରୀକ୍ଷକ ଆମ୍ପୁଲ୍ ରବି କୁମାରଙ୍କ ନିର୍ଦେଶ କ୍ରମେ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆସାହିଠାରେ ପ୍ରଧାନ ଶିକ୍ଷକ ପ୍ରହ୍ଲାଦ ଶିଅଳ ଏବଂ ବରିଷ୍ଠ ଶିକ୍ଷକ ରାମଚନ୍ଦ୍ର ଦଳବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କ୍ରମେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା। ଉକ୍ତ ବିଜ୍ଞାନ ମେଳାରେ ଶ୍ରେଷ୍ଠତା ପ୍ରତିପାଦନ କରିଥିବା ଛାତ୍ରୀଛାତ୍ର ମାନଙ୍କ ମଧ୍ୟରେ କେ ଏମ ଭାଲିଆସାହିର ଛାତ୍ରୀ ସ୍ଵୟଂପ୍ରଜ୍ଞା ପ୍ରଧାନଙ୍କର ପ୍ରକଳ୍ପ ମଧ୍ୟ ଶ୍ରେଷ୍ଠ ବିବେଚିତ ହୋଇ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିଲା। ଫଳରେ କେଉଁଝରଠାରେ ତା ୨୬/୧୨/୨୫ ଠାରୁ ୨୮/୧୨/୨୫ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବାକୁ ମନୋନୀତ ହୋଇଥିଲେ। ଏଣୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକମାନେ କୃତୀ ଛାତ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ମାର୍ଗ ଦର୍ଶକ ଭାବେ ସହଯୋଗ କରିଥିବା ଶିକ୍ଷକ ବିରଞ୍ଚି ନାରାୟଣ ମଣ୍ଡଳଙ୍କୁ ମଧ୍ୟ ଶୁଭେଚ୍ଛା ବାର୍ତ୍ତା ଜ୍ଞାପନ କରିଛନ୍ତି।


