Categories: ଖେଳ

ପୁଣି ଇଂଲଣ୍ଡ ଆଗରେ ବିଶାଳ ଟାର୍ଗେଟ: ରାହୁଲଙ୍କ କମାଲ

ପୁଣେ,୨୬।୩: ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ ଭଳି ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳ ପକ୍ଷରୁ ଦେଖିବାକୁ ମିଳିଛି ଦମଦାର ବ୍ୟାଟିଂ। ପୁଣି ଥରେ ଇଂଲଣ୍ଡ ଆଗରେ ୩୦୦ରୁ ଅଧିକ ରନ୍‌ର ଟାର୍ଗେଟ ଛିଡ଼ା କରିଛି ଟିମ୍‌ ଇଣ୍ଡିଆ। ପୂର୍ବ ମ୍ୟାଚ୍‌ ଭଳି ଏଥର ମଧ୍ୟ ଆମନ୍ତ୍ରଣ ପାଇ ଟିମ୍‌ ଇଣ୍ଡିଆକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଥିଲା। କିନ୍ତୁ ଗତ ମ୍ୟାଚ୍‌ରେ ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିବା ଶିଖର ଧାଓ୍ବନ ଓ ରୋହିତ ଶର୍ମା ପୂରା ଫେଲ ମାରିଥିଲେ। ଏହାପରେ ଅଧିନାୟକ ବିରାଟ କୋହଲି ପୁଣି ଥରେ ବିଫଳ ହୋଇଥିଲେ ଅର୍ଦ୍ଧଶତକକୁ ଶତକରେ ପରିବର୍ତ୍ତିତ କରିବାରେ। ୬୬ (୭୯ ବଲ, ୩ ଚୌକା ଓ ଗୋଟିଏ ଛକା) ରନ୍‌ କରି ଆଉଟ ହୋଇଥିଲେ କୋହଲି।

ପ୍ରଥମ ମ୍ୟାଚ୍‌ରେ ଅପରାଜିତ ଅର୍ଦ୍ଧଶତକ କରିଥିବା ଲୋକେଶ ରାହୁଲ ଏଥର ଶତକରେ ହିଁ ସନ୍ତୁଷ୍ଟ ହୋଇଥିଲେ। ୧୧୪ ବଲର ସମ୍ମୁଖୀନ ହୋଇଥିବା ରାହୁଲ ଖେଳିଥିଲେ ୧୦୮ ରନ୍‌ର ପାଳି। ଏହା ତାଙ୍କ କ୍ୟାରିୟରର ୫ମ ଦିନିକିଆ ଶତକ। ତାଙ୍କ ଇନିଂସରେ ସାମିଲ ଥିଲା ୭ ଚୌକା ଓ ୨ ଛକା। ଶ୍ରେୟାସ ଆୟାରଙ୍କ ବଦଳରେ ଦଳରେ ସ୍ଥାନ ପାଇଥିବା ରିଷଭ ପନ୍ତ ଦଳୀୟ ମ୍ୟାନେଜମେଣ୍ଟକୁ ନିରାଶ କରି ନ ଥିଲେ। ୪୦ ବଲରେ ୩ ଚୌକା ଓ ୭ ଛକା ସହାୟତାରେ ବିସ୍ଫୋରକ ୭୭ ରନ୍‌ର ଇନିଂସ ଖେଳିଥିଲେ ପନ୍ତ। ହାର୍ଦ୍ଦିକ (୩୫) ଓ କୃନାଲ ପାଣ୍ଡ୍ୟା (୧୨)ଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଯୋଗୁ ପୂରା ୫୦ ଓଭରରେ ୬ ଉଇକେଟ ହରାଇ ୩୩୬ ରନ୍‌ କରିବାକୁ ସକ୍ଷମ ହୋଇଛି ଟିମ୍‌ ଇଣ୍ଡିଆ। ଇଂଲଣ୍ଡ ପକ୍ଷରୁ ଟମ୍‌ କୁରାନ ଓ ରିସେ ଟପଲେ ଦୁଇ ଲେଖାଏ ଉଇକେଟ ହାତେଇଥିଲେ।

Share