Categories: ଖେଳ

ଦଳରେ ନେବା ପୂର୍ବରୁ ଦଶଥର ଭାବିଥିଲେ ଚୟନକର୍ତ୍ତା, ଏବେ ବିରୋଧୀ ବୋଲରଙ୍କ ସହ ଲଢ଼ୁଛନ୍ତି ସେହି ଭାରତୀୟ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୬।୮: ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳରେ କାହାକୁ କାହାକୁ ଜାଗା ମିଳିବ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା। ନେଟ୍‌ରେ ଅଭ୍ୟାସ କରୁଥିବା ବେଳେ ମୟଙ୍କ ଅଗ୍ରଓ୍ବାଲ ଆହତ ହୋଇଥିଲେ। ଏହାପରେ ରୋହିତ ଶର୍ମାଙ୍କ ସହ କିଏ ଓପନିଂ କରିବ ସେ ନେଇ ଆଲୋଚନା ହୋଇଥିଲା। ଶେଷରେ ଟପ୍‌-୧୧ ଚୟନ ବେଳେ, କେଏଲ୍‌ ରାହୁଲଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ଏହି ନିଷ୍ପତ୍ତି ଠିକ୍‌ ସାବ୍ୟସ୍ତ ହୋଇଛି।

ଇଂଲଣ୍ଡ ପହଞ୍ଚିବା ପରେ ଅଭ୍ୟାସ ମ୍ୟାଚ୍‌ରେ କେଏଲ୍‌ ଶତକ ମାରିଥିଲେ। ଦୀର୍ଘଦିନରୁ ଟେଷ୍ଟ କ୍ରିକେଟ ବାହାରେ ଥିବାରୁ ନିଜକୁ ପ୍ରମାଣିତ କରିବାର ଉତ୍ସାହ ତାଙ୍କ ଭିତରେ ସ୍ପଷ୍ଟ ଦେଖାଯାଉଥିଲା। ସେ ନଟିଂହୋମ୍‌ ପିଚ୍‌ରେ ତାହାର ଝଲକ ଦେଖାଇଛନ୍ତି।
ଇଂଲଣ୍ଡକୁ ୧୮୩ ରନ୍‌ରେ ଅଲଆଉଟ୍‌ କରିବା ପରେ ଭାରତୀୟ ଟିମ୍‌ ଖେଳିବାକୁ ଓହ୍ଲାଇଥିଲା। ପ୍ରଥମେ କେଏଲ୍‌ ରୋହିତ ଶର୍ମାଙ୍କ ସହ ପ୍ରଥମ ଉଇକେଟ ପାଇଁ ୯୭ ରନ୍‌ର ଭାଗିଦାରୀ କରିଥିଲେ। ପରେ ରୋହିତ ଆଉଟ୍‌ ହୋଇଯାଇଥିଲେ। ଏହାର କିଛି ସମୟ ପରେ ଚେତେଶ୍ୱର ପୂଜାରା(୪) , ବିରାଟ କୋହଲି(୦), ଅଜିଙ୍କ୍ୟ ରାହାଣେ(୫) ରନ୍‌ କରି ଉଇକେଟ ହରାଇଥିଲେ।

ଭାରତର ଗୋଟିଏ ପରେ ଗୋଟିଏ ଉଇକେଟ ଯାଉଥିବା ବେଳେ ଇଂଲଣ୍ଡ ବୋଲର୍‌ ଜେମ୍ସ ଆଣ୍ଡରସନ ଏବଂ ଓଲି ରବିନ୍ସନଙ୍କ ବୋଲିଂ ଚିନ୍ତା ବଢ଼ାଉଥିଲା। ଏଭଳି ପରିସ୍ଥିତିରେ କେଏଲ୍‌ ପିଚ୍‌ରେ ଲଢ଼ିବା ଜାରି ରଖି ନିଜର ୧୨ତମ ଟେଷ୍ଟ ଅର୍ଦ୍ଧଶତକ ପୂରଣ କରିଥିଲେ। ୧୫୧ ବଲ୍‌ଷର ୯ ଚୌକା ସହାୟତାରେ ସେ ୫୭ ରନ୍‌ର ସଂଘର୍ଷପୂର୍ଣ୍ଣ ଇନିଂସ ଖେଳି ଭାରତୀୟ ପାଳିକୁ ଆଗକୁ ବଢ଼ାଉଛନ୍ତି। ତୃତୀୟ ଦିନରେ ରିଷଭ ପନ୍ତଙ୍କ ସହ ତାଙ୍କ ଯୋଡ଼ିଠାରୁ ବହୁତ କିଛି ଆଶା ରହିବ। ଉଭୟ ପ୍ରଥମ ଇନିଂସକୁ କେତେ ଦୂର ନେଉଛନ୍ତି ତାହା ଦେଖିବାକୁ ଅପେକ୍ଷା।

Share