Categories: ଖେଳ

ବିସ୍ଫୋରକ ଇନିଂସ ଖେଳି ସେହ୍ବାଗଙ୍କ ରେକର୍ଡ ଭାଙ୍ଗିଲେ ପଞ୍ଜାବ ଅଧିନାୟକ; ପୁଣି ୬୦୦ ରନ୍‌ ପାର୍‌…

ଦୁବାଇ,୮।୧୦: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌ ୨୦୨୧)ର ଗୁରୁବାର ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଅତି ରୋମାଞ୍ଚକର ଥିଲା। ଚଳିତ ସିଜିନର ଦ୍ୱିତୀୟ ସ୍ଥାନରେ ଥିବା ଦଳ ସହ ଟପ୍‌-୪ ବାହାରେ ଥିବା ପଞ୍ଜାବର ଟକ୍କର ଥିଲା। ହେଲେ ଅତି ସହଜରେ ୭ ଉଇକେଟ ବାକି ଥାଇ ମ୍ୟାଚ୍‌ ଜିତିନେଇଥିଲା ପଞ୍ଜାବ। ଏହି ମ୍ୟାଚ୍‌ରେ ଜଣେ ଖେଳାଳିଙ୍କ ପ୍ରାଧାନ୍ୟ ସ୍ପଷ୍ଟ ଦେଖାଯାଉଥିଲା। ସେ ହେଲେ ପଞ୍ଜାବ ଅଧିନାୟକ କେ.ଏଲ୍‌. ରାହୁଲ। ଏକା ବିସ୍ଫୋରକ ଇନିଂସ ଖେଳି ସେ ଦଳକୁ ଜିତାଇଥିଲେ।

ଟସ୍‌ ଜିତି ପଞ୍ଜାବ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୬ ଉଇକେଟ ହରାଇ ୧୩୪ ରନ୍‌ କରିଥିଲେ। ଜବାବରେ ପଞ୍ଜାବ ଅଧିନାୟକ ରାହୁଲଙ୍କ ବିସ୍ଫୋରକ ଇନିଂସ ବଳରେ ୧୩ ଓଭରରେ ୪ ଉଇକେଟ ହରାଇ ୧୩୯ ରନ୍‌ କରି ବିଜୟୀ ହୋଇଥିଲା। ମାତ୍ର ୪୨ ବଲ୍‌ ଖେଳି ୭ ଚୌକା ଏବଂ ୮ ଛକା ସହ ୯୮ ରନ୍‌ କରି ଅପରାଜିତ ରନ୍‌ କରି ଦଳକୁ ଜିତାଇଥିବାରୁ ରାହୁଲ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ।

ଏହି ଇନିଂସ ସହ ଆଇପିଏଲ୍‌ ୨୦୨୧ରେ ୬୦୦ ରନ୍‌ ପୂରଣ କରିଛନ୍ତି ରାହୁଲ। ତାଙ୍କ ପାଖରେ ବର୍ତ୍ତମାନ ଅରେଞ୍ଜ କ୍ୟାପ୍‌ ରହିଛି। ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ରାହୁଲ ଏଭଳି ଉପଲବ୍ଧି ହାସଲ କରିଛନ୍ତି। ଗତ ୪ ଆଇପିଏଲ୍‌ ସିଜନ୍‌ରେ ରାହୁଲ କ୍ରମାଗତ ଚାରିଥର ୫୦୦ ରନ୍‌ ମାର୍କ ପୂରଣ କରିଥିବା ବେଳେ ସେଥିରୁ ୩ ଥର ସେ ୬୦୦ ରନ୍‌ ଅତିକ୍ରମ କରିଛନ୍ତି।

ଆଇପିଏଲ୍‌ ୨୦୧୮-୬୫୯ ରନ୍‌
ଆଇପିଏଲ୍‌ ୨୦୧୯- ୫୮୩ ରନ୍‌
ଆଇପିଏଲ୍‌ ୨୦୨୦-୬୬୮ ରନ୍‌
ଆଇପିଏଲ୍‌ ୨୦୨୧-୬୨୬ ରନ୍‌

ଏହାଛଡ଼ା ରାହୁଲ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ତଥା ପଞ୍ଜାବ ଟିମ୍‌ର ପୂର୍ବତନ ଅଧିନାୟକ ବିରେନ୍ଦ୍ର ସେହ୍ବାଗଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ଟାର୍ଗେଟର ପିଛା କରି ଅଧିନାୟକ ଭାବେ ନଟ୍‌ଆଉଟ୍‌ ଥାଇ ସର୍ବାଧିକ ରନ୍‌ ସ୍କୋର କରିଥିବା ଅଧିନାୟକଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି ରାହୁଲ। ସେ ସେହ୍ବାଗଙ୍କୁ କାଟିଛନ୍ତି। ଏହି ତାଲିକାରେ ବିରାଟ କୋହଲି ଶୀର୍ଷରେ ଅଛନ୍ତି।

Share