Categories: ଖେଳ

ପିତାଙ୍କ ଭୁଲ୍‌ ଯୋଗୁ ରୋହନରୁ ହୋଇଗଲେ କେ.ଏଲ୍‌ ରାହୁଲ

ଭାରତୀୟ କ୍ରିକେଟର୍‌ କେଏଲ୍‌ ରାହୁଲ ଆଜି ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ଆଇପିଏଲ୍‌ରେ ୨୦୨୨ରେ ତାଙ୍କ ଅଧିନାୟିକତ୍ୱରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଚମତ୍କାର ପ୍ରଦର୍ଶନ କରୁଛି। ଖୁବ୍‌ କମ୍‌ ଦିନରେ ରାହୁଲ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କିନ୍ତୁ ଖୁବ କମ ଲୋକ ଜାଣନ୍ତି ପିତାଙ୍କ ଭୁଲ ହେତୁ ସେ ରାହୁଲ ନାମ ପାଇଥିଲେ। କେ.ଏଲ ରାହୁଲଙ୍କ ପିତା କେ.ଏଲ ଲୋକେଶ ସୁନୀଲ ଗାଭାସ୍କରଙ୍କ ଜଣେ ବଡ଼ ପ୍ରଶଂସକ ଥିଲେ ଏବଂ ସେ ମଧ୍ୟ ତାଙ୍କ ପୁଅର ନାମ ସୁନୀଲ ଗାଭାସ୍କରଙ୍କ ପୁଅଙ୍କ ନାମ ଅନୁସାରେ ରଖିବାକୁ ଚାହୁଁଥିଲେ। ସେ ପୁଅର ନାମକରଣ କରୁଥିବାବେଳେ ସେ ଭୁଲିଯାଇଥିଲେ ଯେ ଗାଭାସ୍କରଙ୍କ ପୁଅର ନାମ ରାହୁଲ ନୁହେଁ, ରୋହନ। ସେ ତାଙ୍କ ପୁଅର ନାମ ରୋହନ ବଦଳରେ ରାହୁଲ ରଖିଦେଇଥିଲେ।
ରାହୁଲଙ୍କ ପିତାଙ୍କର ଏକ ସ୍ବପ୍ନ ଥିଲା ଯେ ତାଙ୍କ ପୁଅ ଜଣେ ଇଞ୍ଜିନିୟର ହେବ। ରାହୁଲ ଅଧ୍ୟୟନରେ ମଧ୍ୟ ଭଲ ଥିଲେ, କିନ୍ତୁ ଭାଗ୍ୟରେ ଆଉ କିଛି ଲେଖାଯାଇଥିଲା । ରାହୁଲଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢିଲେ। ୧୧ ବର୍ଷ ବୟସରୁ ସେ କ୍ରିକେଟକୁ ଗମ୍ଭୀରତାର ସହ ନେବା ଆରମ୍ଭ କଲେ। ଏହା ପରେ, ସେ ୨୦୧୦ରେ କର୍ନାଟକ ପାଇଁ ତାଙ୍କର ପ୍ରଥମ ଶ୍ରେଣୀ କ୍ୟାରିଅର୍‌ ଆରମ୍ଭ କରିଥିଲେ। ରାହୁଲ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ତିନୋଟି ଫର୍ମାଟରେ ୬ ମାରି ଶତକ ହାସଲ କରିଛନ୍ତି। ସେ ୨୦୧୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ୨୦୧୬ରେ ଜିମ୍ବାୱେ ବିପକ୍ଷରେ ଦିନିକିଆ ଏବଂ ଟି -୨୦ କ୍ରିକେଟ ଆରମ୍ଭ କରିଥିଲେ। ସେ ୪୩ଟି ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚରେ ୨ ହଜାର ୫୪୭ ରନ, ୪୨ଟି ଦିନିକିଆରେ ୧୬୩୪ ରନ ଏବଂ ୫୬ ଟି -୨୦ ମ୍ୟାଚରେ ୧୮୩୧ ରନ କରିଛନ୍ତି।

Share