ମହିଳା କର୍ମଚାରୀଙ୍କୁ ଏହି ଗିଫ୍ଟ ଦେଲେ କେଏଲ୍‌ ରାହୁଲ, ଚାରିଆଡୁ ପ୍ରଶଂସା

ନୂଆଦିଲ୍ଲୀ,୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବ୍ୟାଟିଂରେ ଚମତ୍କାର କରିବା ସହ ମଇଦାନ ବାହାରେ ନିଜର ମହାନତା ଦେଖାଇଛନ୍ତି ଭାରତୀୟ ୱିକେଟ୍‌କିପର ବ୍ୟାଟର କେଏଲ୍‌ ରାହୁଲ । ମ୍ୟାଚ୍‌ରେ ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ‘ଗେମ୍‌ ଚେଞ୍ଜର ଅଫ୍‌ ଦି ମ୍ୟାଚ୍‌’ ପୁରସ୍କାର ମିଳିଥିଲା। ପୁରସ୍କାର ସ୍ୱରୂପ ମିଳିଥିବା ସ୍ମାର୍ଟଫୋନ୍‌କୁ ନିଜ ପାଖରେ ନରଖି ଷ୍ଟାଡିୟମ୍‌ରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କୁ ଉପହାର ଦେଇଛନ୍ତି ସେ । ରାହୁଲଙ୍କ ଏହି ମହାନତାର ଭିଡିଓକୁ ବିସିସିଆଇ ସୋସିଆଲ ମିଡିଆରେ ସେୟାର କରିଛି । ଏହାପରେ ତାଙ୍କୁ ଚାରିଆଡ଼ୁ ପ୍ରଶଂସା କରାଯାଉଛି । ଭିଡିଓ ସହ ବିସିସିଆଇ ଲେଖିଛି, ‘ବଡ଼ ଖେଳାଳି, ତାଠାରୁ ବି ବଡ଼ ହୃଦୟ’। ଏହି ଭିଡିଓ ଏବେ କ୍ରିକେଟ୍‌ ପ୍ରଶଂସକଙ୍କ ମନ ଜିଣିଛି।

ବିସିସିଆଇ ପକ୍ଷରୁ ଜାରି ଭିଡିଓରେ କେଏଲ୍‌ ରାହୁଲ ମହିଳା କର୍ମଚାରୀଙ୍କୁ ନିଜ ପୁରସ୍କାରରେ ମିଳିଥିବା ସ୍ମାର୍ଟଫୋନ୍‌ ଦେଉଥିବା ଦେଖିବାକୁ ମିଳିଛି । ହଠାତ୍‌ ରାହୁଲଙ୍କଠାରୁ ଏଭଳି ଉପହାର ପାଇ ମହିଳା ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭାରତୀୟ ବ୍ୟାଟର ତାଙ୍କୁ ନିଜ ଜିତିଥିବା ଫୋନ୍‌ ଉପହାର ଦେଇଥିବା ସେ କହିଥିଲେ।ଏହି ସମୟରେ ରାହୁଲ ହସୁଥିବା ନଜର ଆସିଥିଲେ। କୌଣସି ଆଡ଼ମ୍ବର ନକରି ସେ ନିଜ ପୁରସ୍କାରଟିକୁ ମହିଳାଙ୍କୁ ଦେଇଥିଲେ। ତାଙ୍କର ଏହି ସରଳ ଓ ଉଦାର ମନୋଭାବକୁ ସୋସିଆଲ ମିଡିଆରେ ବେଶ୍‌ ପସନ୍ଦ କରାଯାଉଛି।

ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ କେଏଲ୍‌ ରାହୁଲ ଚାପ ସମୟରେ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ସେ ୩୪ଟି ବଲ୍‌ରୁ ୨ଟି ଚୌକା ଓ ଗୋଟିଏ ଛକା ସହ ଅପରାଜିତ ୨୬ ରନ୍‌ କରିଥିଲେ। ଏହି ପ୍ରଦର୍ଶନ ପାଇଁ ତାଙ୍କୁ ‘ଗେମ୍‌ ଚେଞ୍ଜର ଅଫ୍‌ ଦି ମ୍ୟାଚ୍‌’ ପୁରସ୍କାର ମିଳିଥିଲା।

ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଦଳର ଆରମ୍ଭ ଭଲ ନଥିଲା। ଶୁଭମନ ଗିଲ୍‌ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିବାବେଳେ ବିରାଟ କୋହଲି ମାତ୍ର ୭ ରନ୍‌ କରିଥିଲେ। ରୋହିତ ଶର୍ମା ମଧ୍ୟ ୨୩ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ। ଏଭଳି ସ୍ଥିତିରେ ରାହୁଲ ଶ୍ରେୟସ ଆୟରଙ୍କ ସହ ମିଶି ପାଳି ସମ୍ଭାଳିବାକୁ ଉଦ୍ୟମ କରିଥିଲେ। ଆୟର ମଧ୍ୟ ୩୦ ରନ୍‌ର ଯୋଗଦାନ ଦେଇଥିଲେ।

 

Dharitri – Odisha’s No.1 Odia Daily

Share