Categories: ଖେଳ

ଫ୍ଲପ୍‌ ହେଲେ କେ.ଏଲ୍‌. ରାହୁଲ

ହରାରେ,୨୦।୮: ନିରାଶ କଲେ ଭାରତୀୟ ଟିମ୍‌ର ଅଧିନାୟକ କେ.ଏଲ୍‌. ରାହୁଲ। ଶନିବାର ଜିମ୍ବାଓ୍ବେ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ସେ ମାତ୍ର ୫ ବଲ୍‌ରେ ୧ ରନ୍‌ କରି ଆଉଟ୍‌ ହୋଇଥିଲେ। ତିନି ମାସ ପରେ ରାହୁଲ ଅନ୍ତର୍ଜାତୀୟ ମ୍ୟାଚ୍‌କୁ ଫେରିଥିବା ବେଳେ ଏବେ ତାଙ୍କର ଫର୍ମ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି।

ଆଗକୁ ଏସିଆ କପ୍‌ ଖେଳାଯିବାକୁ ଥିବା ବେଳେ କେ.ଏଲ୍‌. ଫର୍ମକୁ ଫେରିବା ଜରୁରୀ। କାରଣ ସେ ରୋହିତଙ୍କ ସହ ସେ ଓପନିଂ କରିବାକୁ ଆସିପାରନ୍ତି। ଏଣୁ ଜିମ୍ବାଓ୍ବେ ଗସ୍ତରେ ତାଙ୍କୁ ସୁଯୋଗ ମିଳିଛି। ପ୍ରଥମ ଦିନିକିଆରେ କେ.ଏଲ୍‌.ଙ୍କୁ ସୁଯୋଗ ମିଳି ନ ଥିବା ବେଳେ ଦ୍ୱିତୀୟ ଦିନିକିଆରେ ସେ ତୃତୀୟ ସ୍ଥାନରେ ମଇଦାନକୁ ଓହ୍ଲାଇଥିଲେ। ହେଲେ ଦ୍ୱିତୀୟ ଓଭରର ଚତୁର୍ଥ ବଲ୍‌ରେ ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏବେ ତୃତୀୟ ଦିନିକିଆରେ ସେ ଯଦି ଫର୍ମକୁ ନ ଫେରୁଛନ୍ତି ତେବେ ଟିମ୍‌ ଇଣ୍ଡିଆ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିବ ବୋଲି କୁହାଯାଉଛି।

Share