Categories: ଖେଳ

କୋଲକାତାକୁ ଜିତାଇ ଦେଲା ରାହୁଲଙ୍କ ଛକା

ଶାରଜା,୧୩।୧୦: ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ପୁଣି ଥରେ ଠିକଣା ସମୟରେ ତାର ପୁରୁଣା ତ୍ରୁଟି ଦୋହରାଇଛି। ଖରାପ ଶଟ୍‌ ଚୟନ, ମିସ ଫିଲ୍ଡିଂ କାରଣରୁ ଦଳକୁ ଦ୍ୱିତୀୟ କ୍ୱାଲିଫାୟରରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)ଠାରୁ ପରାଜିତ ହେବାକୁ ପଡ଼ିଛି। କିନ୍ତୁ ଶେଷ ଆଡ଼କୁ ପେସରମାନେ ମ୍ୟାଚ୍‌କୁ ଛଡ଼ାଇ ଆଣିଥିଲେ। ୭ ରନ୍‌ରେ ୬ ଉଇକେଟ ନେଇ ମ୍ୟାଚ୍‌କୁ ଓଲଟି ଦେଇଥିଲେ। ଶେଷରେ ଦିଲ୍ଲୀ ପକ୍ଷରୁ ଧାର୍ଯ୍ୟ ୧୩୬ ରନ୍‌ର ବିଜୟ ଲକ୍ଷ୍ୟକୁ କୋଲକାତା ୧୯.୫ ଓଭରରେ ୭ ଉଇକେଟ ହରାଇ ହାସଲ କରି ନେଇଛି। ଏଥିସହ ଆଇପିଏଲ ଫାଇନାଲରେ ପ୍ରବେଶ କରିଛି ଶାହରୁଖ ଖାନଙ୍କ ଫ୍ରାଞ୍ଚାଇଜ କୋଲକାତା।

ସବୁଠୁ ରୋଚକ ଥିଲା ଶେଷ ଓଭର, ଯାହାକି ରବିଚନ୍ଦ୍ରନ ଅଶ୍ୱିନ ପକାଇଥିଲେ। ସେତେବେଳେ କୋଲକାତାକୁ ଦରକାର ଥିଲା ୬ ବଲରେ ୭ ରନ୍‌। କିନ୍ତୁ ଅଶ୍ୱିନ ପ୍ରଥମ ୪ ବଲରେ ଡବଲ ଉଇକେଟ ନେଇ ମ୍ୟାଚ୍‌ରେ ସବୁ କିଛି ବଦଳି ରଖି ଦେଇଥିଲେ। କିନ୍ତୁ କୋଲକାତାର ଭାଗ୍ୟ ଭଲ। ରାହୁଲ ତ୍ରିପାଠି ଛକା ମାରି ମ୍ୟାଚ୍‌ ଜିତାଇ ଦେଇଥିଲେ।

Share