ପିଏମ୍‌ କେୟାର ଫଣ୍ଡ୍‌କୁ ବିଦେଶୀ ଖେଳାଳି ଦେଲେ ୩୭ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୨୬।୪ : କୋଭିଡ୍‌-୧୯ ମହାମାରୀ ସହ ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ୍‌କୁ ଅଷ୍ଟ୍ରେଲିଆନ ପେସର ଓ କୋଲକାତା ନାଇଟ୍‌ ରାଇଡର୍ସ ଷ୍ଟାର ପାଟ କୁମିନ୍ସ ସୋମବାର ୫୦ ହଜାର ଆମେରିକୀୟ ଡଲାର ଦାନ କରିଛନ୍ତି। ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୩୭ ଲକ୍ଷ ଟଙ୍କା। ଆଇପିଏଲର ଅନ୍ୟ ଖେଳାଳିଙ୍କୁ ମଧ୍ୟ ସାହାଯ୍ୟର ହାତ ବଢ଼ାଇବୁ ସେ ଅନୁରୋଧ କରିଛନ୍ତି।

ସୋସିଆଲ ମିଡିଆରେ ଶେୟାର କରିଥିବା ବିବୃତିରେ କୁମିନ୍ସ କହିଛନ୍ତି, ଭାରତ ଏଭଳି ଏକ ଦେଶ, ଯାହାକୁ ମୁଁ ଭଲ ପାଏ। ଏଠାକାର ଲୋକାମାନେ ଖୁବ୍‌ ଦାୟାଳୁ। ବହୁ ସଂଖ୍ୟାରେ ଲୋକାମାନେ କୋଭିଡ୍‌-୧୯ ସହ ସଂଘର୍ଷ କରୁଥିବାରୁ ମୁଁ ଦୁଃଖିତ। କରୋନା ସଂକ୍ରମଣର ହାର ସର୍ବାଧିକ ଥିଲାବେଳେ ଆଇପିଏଲ ଖେଳାଯିବା ଉଚିତ କି ନାହିଁ, ସେ ନେଇ ଆଲୋଚନା ଚାଲିଛି। ଲକ୍‌ଡାଉନ ସମୟରେ ଏହା ଲୋକଙ୍କୁ ଯୋଗାଉଛି କିଛି ଘଣ୍ଟା ପାଇଁ ଏଣ୍ଟରଟେନମେଣ୍ଟ। ଏହା ଏକ ପ୍ଲାଟଫର୍ମ ଯାହା ଦ୍ୱାରା ଆମେ ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚି ପାରୁଛୁ। ଏହାକୁ ଦୃଷ୍ଟିରେ ରଖି ପିଏମ୍‌ କେୟାର ଫଣ୍ଡ୍‌କୁ ମୁଁ ୩୭ ଲକ୍ଷ ଟଙ୍କା ଦେଇଛି। ମୁଁ ଅନ୍ୟ ଖେଳାଳିଙ୍କୁ ମଧ୍ୟ ସାହାଯ୍ୟ ପାଇଁ ଆଗେଇ ଆସିବାକୁ ଅନୁରୋଧ କରୁଛି।

ଉଲ୍ଲେଖଯୋଗ୍ୟ, କୁମିନ୍ସଙ୍କୁ ୨୦୨୦ରେ କେକେଆର ୧୫.୫ କୋଟି ଟଙ୍କାରେ କିଣିଥିଲା। ସେବେଠାରୁ ସେ ଦୁଇ ଥର ଚାମ୍ପିୟନ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହୋଇ ରହିଛନ୍ତି।

Share