Categories: ଖେଳ

କେଶବ ମହାରାଜଙ୍କୁ ଦଳରେ ସାମିଲ କଲା ରାଜସ୍ଥାନ ରୟାଲ୍ସ, କେକେଆର ଆଣିଲା ୧୬ ବର୍ଷ ବୟସ୍କ ଆଫଗାନିସ୍ତାନ ସ୍ପିନର

ନୂଆଦିଲ୍ଲୀ ,୨୮।୩: ଆହତ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ରାଜସ୍ଥାନ ରୟାଲ୍ସ ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜଙ୍କୁ ଦଳରେ ସାମିଲ କରିଛି। ସେହିଭଳି କେକେଆର୍ ଆଫଗାନିସ୍ତାନର ୧୬ ବର୍ଷ ବୟସ୍କ ଅଫ୍ ସ୍ପିନର ଆଲ୍ଲହା ଗଜାନଫରଙ୍କୁ ୨୦ ଲକ୍ଷ ଟଙ୍କା ମୂଲ୍ୟରେ ସ୍ପିନର ମୁଜିବଙ୍କ ବଦଳରେ ଟିମରେ ସାମିଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ନିକଟରେ ଆୟର୍ଲାଣ୍ଡ ବିପକ୍ଷ ଦିନିକିଆରେ ଗଜାନଫର ଆଫଗାନିସ୍ତାନ ପାଇଁ ଆନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ଏବଂ ଯଦି ଏହି ସିଜନରେ ଆଇପିଏଲ୍ କ୍ୟାପ୍ ଅର୍ଜନ କରନ୍ତି ତେବେ କେକେଆର ପାଇଁ ସର୍ବକନିଷ୍ଠ ଖେଳାଳି ହେବେ।

ନିକଟରେ ପ୍ରସିଦ୍ଧ କ୍ରିଷ୍ଣା ତାଙ୍କ ବାମ ପ୍ରକ୍ସିମାଲ୍ କ୍ୱାଡ୍ରିକ୍ସପ୍ସ ଟେଣ୍ଡନରେ ଅସ୍ତ୍ରୋପଚାର କରିଥିଲେ ଏବଂ ବର୍ତ୍ତମାନ ସୁସ୍ଥ ଅଛନ୍ତି ବୋଲି ଆଇପିଏଲ୍ ମିଡ଼ିଆ ହ୍ୟାଣ୍ଡେଲ ପକ୍ଷରୁ ସୂଚନା ଦିଆଯାଇଥିଲା।

ଆଇପିଏଲ୍ ୨୦୨୪ ରେ ଉଭୟ କେକେଆର୍ ଏବଂ ଆରଆର ଏପର୍ଯ୍ୟନ୍ତ ଅପରାଜେୟ ରହିଛନ୍ତି। ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳର ଆହତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ପୂର୍ବରୁ କେକେଆର ଜେସନ୍ ରୟ ଓହରିଯିବା ପରେ ଇଂଲଣ୍ଡର ଅନ୍ୟତମ ଖେଳାଳି ଫିଲ୍ ସଲ୍ଟଙ୍କୁ ଦଳରେ ସାମିଲ କରିଥିଲା।

Share