ସ୍ତ୍ରୀଙ୍କୁ ସଫଳତାର ଶ୍ରେୟ ଦେଉଥିଲେ କେକେ

ମୁମ୍ବାଇ: ପ୍ରସିଦ୍ଧ ଗାୟକ କୃଷ୍ଣକୁମାର କୁନ୍ନଥ, ଯିଏ କି କେକେ ଭାବରେ ଜଣାଶୁଣା। ୩୧ ମେ’  ତାଙ୍କର ଦେହାନ୍ତ ହୋଇଛି। କୋଲକାତାରେ ଲାଇଭ କନ୍‌ସର୍ଟ ସମୟରେ ସେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ। ପରେ ତାଙ୍କୁ ତୁରନ୍ତ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଖୁବ କମ୍‌ ଲୋକ ଜାଣନ୍ତି ଯେ, କେକେ ସଙ୍ଗୀତ ଜଗତରେ ନିଜର ପରିଚୟ ସୃଷ୍ଟି କରିବା ପୂର୍ବରୁ ୩୫୦୦ରୁ ଅଧିକ ଜିଙ୍ଗଲ ଗାଇଥିଲେ। ଥରେ କେକେ ଏକ ସାକ୍ଷାତକାରରେ କହିଥିଲେ, ହରିହରନ ଦିଲ୍ଲୀରେ ତାଙ୍କର ଗୋଟିଏ ପ୍ରୋଗ୍ରାମ ଦେଖି ତାଙ୍କୁ ମୁମ୍ବାଇ ଆସିବାକୁ କହିଥିଲେ। କିଛି ଦିନ ପରେ ସେ ମୁମ୍ବାଇ ଯାଇଥିଲେ।

ସେ ପୂର୍ବରୁ ଦିଲ୍ଲୀରେ ରହୁଥିଲେ। ସେ ତାଙ୍କ ସ୍ତ୍ରୀ ଜ୍ୟୋତିଙ୍କ ନିର୍ଦ୍ଦେଶରେ ମୁମ୍ବାଇ ଆସିଥିଲେ। ଯେଉଁଠାରେ ତାଙ୍କୁ ବହୁତ ସଫଳତା ମିଳିଥିଲା। ସେ କହିଥିଲେ, ମୁମ୍ବାଇ ଆସିବା ପରେ ତାଙ୍କ ଜୀବନର ୟୁ-ଟର୍ନ ଆସିଥିଲା। ସେ ତାଙ୍କର ସମସ୍ତ ସଫଳତାର ଶ୍ରେୟ ସ୍ତ୍ରୀଙ୍କୁ ହିଁ ଦେଇଥିଲେ।

ସେ ୧୯୯୪ରେ ମୁମ୍ବାଇ ଆସିବା ଏବଂ ଗାୟକ ଭାବରେ ସଫଳ ହେବା ପୂର୍ବରୁ ହୋଟେଲରେ ମଧ୍ୟ କାମ କରିଥିଲେ। ସେ ଦକ୍ଷିଣ ଭାରତର ଅନେକ ବଡ଼ ହୋଟେଲରେ କାମ କରିଥିଲେ। କିନ୍ତୁ ସେ ପିଲାଦିନରୁ ସଙ୍ଗୀତକୁ ଭଲ ପାଉଥିଲେ। ଜଣେ ତାଲିମପ୍ରାପ୍ତ ଶାସ୍ତ୍ରୀୟ ଗାୟକ ନୁହନ୍ତି। ସେ କିଛି ଦିନ ମ୍ୟୁଜିକ ସ୍କୁଲକୁ ଯାଇଥିଲେ, କିନ୍ତୁ ସେ ସେଠାରେ କିଛି ବିଶେଷ କରିପାରି ନ ଥିଲେ, ତାଙ୍କ ପିତା ତାଙ୍କୁ ଆଉ ପଠାଇ ନ ଥିଲେ। ପରେ ସେ କିଶୋର କୁମାରଙ୍କ ଦ୍ୱାରା ବହୁତ ପ୍ରଭାବିତ ହୋଇଥିଲେ। କାରଣ କିଶୋର କୁମାର ଗୀତ ପାଇଁ କୌଣସି ତାଲିମ ନେଇ ନ ଥିଲେ। କିଶୋର କୁମାରଙ୍କୁ ଫଲୋ କରି କେକେ ଆଗକୁ ବଢ଼ିଥିଲେ। କେକେ କୁହନ୍ତି କିଶୋର ଦା’ ଆଉ ଭଗବାନଙ୍କ ଯୋଗୁ ମୁଁ ଆଜି ଏହି ସ୍ଥାନରେ ପହଞ୍ଚିଥିଲି। ଆଜି କେକେ ନାହାନ୍ତି ସତ ମାତ୍ର କହି ଯାଇଥିବା କିଛି ହୃଦୟସ୍ପର୍ଶୀ କଥାକୁ ଲୋକେ ଝୁରି ହେଉଛନ୍ତି।

Share