Categories: ଜାତୀୟ

‘ଚୁମ୍ବନ ଦେବା ଯୌନ ଅପରାଧ ନୁହେଁ’

ପୁଣେ,୧୫।୫: ଏକ ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଜଣେ ୧୪ ବର୍ଷର ବାଳକଙ୍କୁ ଯୌନ ନିର୍ଯାତନା ମାମଲାରେ କୋର୍ଟ ଜାମିନ ପ୍ରଦାନ କରି କହିଛନ୍ତି। ଚୁମ୍ବନ ଦେବା ଏବଂ ପ୍ରେମ କରିବା ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ ଅନୁଯାୟୀ ସ୍ବାଭାବିକ ଅପରାଧ ନୁହେଁ।
ଜଷ୍ଟିସ ଅନୁଜା ପ୍ରଭୁଦେଶାଇ ଏହି ମାମଲାର ଶୁଣାଣି କରି କହିଛନ୍ତି, ବାଳକଙ୍କ ବିବୃତି ତଥା ପ୍ରଥମ ସୂଚନା ରିପୋର୍ଟ (ଏଫ୍‌ଆଇଆର) ଅନୁସାରେ ଅଭିଯୁକ୍ତ ପୀଡିତଙ୍କ ପ୍ରାଇଭେଟ୍‌ ପାର୍ଟକୁ ଛୁଇଁଥିଲେ ଏବଂ ଓଠରେ ଚୁମ୍ବନ ଦେଇଥିଲେ। ମୋ ମତରେ, ଏହା ଭାରତୀୟ ଦଣ୍ଡ ସଂହିତା ଧାରା ୩୭୭ ଅନୁଯାୟୀ ଏକ ଅପରାଧ ନୁହେଁ ।
ଏଫ୍‌ଆଇଆର୍‌ ଅନୁଯାୟୀ, ବାଳକଙ୍କ ବାପା ତାଙ୍କ ଆଲମାରିରୁ କିଛି ଟଙ୍କା ହଜିଯାଇଥିବା ଦେଖିବାକୁ ପାଇଥିଲେ। ନାବାଳକ ପୁଅ ବାପାଙ୍କୁ କହିଥିଲେ ଯେ, ସେ ଏକ ଅନ୍‌ଲାଇନ ଗେମ ରିଚାର୍ଜ କରିବାକୁ ଜଣଙ୍କୁ ଟଙ୍କା ଦେଇଛନ୍ତି। ସେ ତାଙ୍କ ପିତାଙ୍କୁ ମଧ୍ୟ କହିଥିଲେ ଯେ, ସେହି ବ୍ୟକ୍ତି ଜଣକ ତାଙ୍କୁ ଚୁମ୍ବନ ଦେଇ ତାଙ୍କ ପ୍ରାଇଭେଟ୍‌ ପାର୍ଟକୁ ସ୍ପର୍ଶ କରିଥିଲେ।
ବାପା ପୋଲିସ ପାଖକୁ ଯାଇ ପୋକ୍‌ସୋ ଆକ୍ଟ ଏବଂ ଧାରା ୩୭୭ ବିରୋଧରେ ଏଫ୍‌ଆଇଆର୍‌ ଦାଖଲ କରିଥିଲେ। ଜଷ୍ଟିସ ପ୍ରଭୁଦେଶାଇ କହିଛନ୍ତି, ବାଳକଟିର ଡାକ୍ତରୀ ପରୀକ୍ଷାରେ ଯୌନ ନିର୍ଯାତନାକୁ ନିଶ୍ଚିତ କରି ନାହିଁ। ଅଭିଯୁକ୍ତ ଏକ ବର୍ଷ ଜେଲରେ ରହିଛନ୍ତି, ତେଣୁ ସେ ଜାମିନ ପାଇବାକୁ ହକ୍‌ଦାର। ଅଦାଲତ ଉକ୍ତ ବ୍ୟକ୍ତିଙ୍କୁ ୩୦ ହଜାର ଟଙ୍କାରେ ଜାମିନ ପ୍ରଦାନ କରିବାକୁ କହିଛନ୍ତି।

Share