Categories: ଖେଳ

କିସ୍‌-କ୍ୟାପିଟାଲ ଫାଇନାଲ

ଭୁବନେଶ୍ୱର, ୧୪।୯ (ତପନ ସ୍ବାଇଁ): ୟୁନିଟ-୬ ଆଥ୍‌ଲେଟିକ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ଜୟନ୍ତ ମହାପାତ୍ର ସ୍ମାରକୀ ଆନ୍ତଃସ୍କୁଲ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ କିସ୍‌ ଓ କ୍ୟାପିଟାଲ ସ୍କୁଲ ମଧ୍ୟରେ ଶୁକ୍ରବାର ଅନୁଷ୍ଠିତ ହେବ। ବୁଧବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ୟୁନିଟ-୩ କ୍ୟାପିଟାଲ ସ୍କୁଲ ୩-୨ ଗୋଲରେ ବିକାଶ ସ୍କୁଲକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ପୂର୍ବଦିନ ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ କିସ୍‌ ସ୍କୁଲ ୩-୦ ଗୋଲ୍‌ରେ ୟୁନିଟ୍‌-୧ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଦ୍ୱିତୀୟ ସେମିଫାଇନାଲଟି ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା।

ବିକାଶ ସ୍କୁଲ ପକ୍ଷରୁ ଦିବ୍ୟକାନ୍ତ ମହାପାତ୍ର ୧୨ ଓ ଅନ୍ତରୀକ୍ଷ ରାଉତ ୨୭ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। କ୍ୟାପିଟାଲ ସ୍କୁଲ ପକ୍ଷରୁ ବାଇଧର ତିରିଆ ୨୪ ଓ ଡମୁ ସଏ ୩୬ତମ ମିନିଟରେ ଗୋଲ ପରିଶୋଧ କରିଥିଲେ। ସ୍ଥିତିି ୨-୨ ସ୍ଥିତିରେ ରହିଥିବାବେଳେ ମ୍ୟାଚ ଶେଷ ହେବାର ଗୋଟିଏ ମିନିଟ ପୂର୍ବରୁ ବିକାଶ ସ୍କୁଲ ଖେଳାଳି ଆତ୍ମଘାତୀ ଗୋଲ କରିବାରୁ କ୍ୟାପିଟାଲ ବିଜୟୀ ହୋଇ ଯାଇଥିଲା। ବିଜୟୀ ଦଳର ଡମୁ ସଏ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଦେବବ୍ରତ ସାହୁ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଉନ୍ନତ ମାନର ଖେଳ ପାଇଁ ବିକାଶ ସ୍କୁଲର ଦିବ୍ୟକାନ୍ତ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା।

 

Share