Categories: ଜାତୀୟ

ଶୀଘ୍ର ଶେଷ ହୋଇପାରେ କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ,୬ ।୧୨: ବର୍ଷକରୁ ଊର୍ଦ୍ଧ୍ୱ ସମୟ ଧରି ଜାରି ରହିଥିବା କୃଷକ ଆନ୍ଦୋଳନ ଶୀଘ୍ର ଶେଷ ହୋଇପାରେ ବୋଲି ଅନୁମାନ କରାଯାଇଛି । ମୃତ କୃଷକଙ୍କ ପରିବାରକୁ ଅନୁକମ୍ପା ରାଶି ବ୍ୟତୀତ ଅନ୍ୟ ସମସ୍ତ ଦାବି ଧୀରେ ଧୀରେ ପୂରଣ ହେଉଥିବା ଜଣାପଡିଛି । କୃଷକ ଆନ୍ଦୋଳନର ସମାଧାନ ଦାୟିତ୍ୱ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଦିଆଯିବା ପରେ ପରଦା ପଛରେ କୃଷକ ସଙ୍ଗଠନ ସହ ସରକାରଙ୍କର ବହୁଥର କଥା ହୋଇଥିବା ଜଣାପଡିଛି । ଏହା ଉପରେ ସୋମବାର ସାର୍ବଜନିକ ଭାବେ କଥା ହେବାର ଅଛି ବୋଲି ସୂଚନା ମିଳିଛି । ପରଦା ପଛରେ କଥାବାର୍ତ୍ତା ସମୟରେ ଲଖିମପୁର ଖେରି ମାମଲାରେ ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫାକୁ ଅଧିକ ଜୋର ନ ଦେବାକୁ ଭରସା ଦିଆଯାଇଛି । ଏମ୍‌ଏସ୍‌ପିକୁ ନେଇ ଗଠିତ ହେବାକୁ ଥିବା କମିଟି ନିକଟକୁ ପଠାଇବା ଓ କୃଷକଙ୍କ ବିରୋଧରେ ହୋଇଥିବା ମାମଲାକୁ ଉଠାଇ ନେବା ଉପରେ ସହମତି ପ୍ରକାଶ ପାଇଛି । ଏଥିରୁ ଅନୁମାନ କରାଯାଉଛି କି କୃଷକ ଆନ୍ଦୋଳନ ଶୀଘ୍ର ଶେଷ ହୋଇପାରେ । ହେଲେ ଏବେ ମୃତ କୃଷକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନକୁ ନେଇ ମନ୍ଥନ ଚାଲିଛି । କେନ୍ଦ୍ର ଏହାକୁ ରାଜ୍ୟ ସରକାରଙ୍କ ଉପରେ ଛାଡି ଦେଇଥିବା କୁହାଯାଉଛି ।

Share