ରାହୁଲଙ୍କ ଚିତ୍ରକଳାକୁ ପ୍ରଶଂସା କଲେ କିଙ୍ଗ୍‌ ଖାନ୍‌

ପାପଡ଼ାହାଣ୍ଡି,୨୬।୯(ସ୍ବପ୍ନଜିତ ପଟ୍ଟନାୟକ):ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ସଦର ମହକୁମା ନୂଆସାହିର ରାହୁଲ ପାତ୍ରଙ୍କ ଚିତ୍ରକଳା ଦେଖି ପ୍ରଶଂସା କରିଛନ୍ତ ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌। ରାହୁଲ ପ୍ରଧାନୀଗୁଡ଼ା କାଜୁମିଲଠାରେ ଶାହାରୁଖଙ୍କ ଯବାନ ଚଳଚ୍ଚିତ୍ରର ୧୦ଫୁଟ୍‌ ଉଚ୍ଚତା ଓ ୬ଫୁଟ୍‌ ଲମ୍ବ ବିଶିଷ୍ଟ ଏକ ଫଟୋ ଚିତ୍ର ଆଙ୍କିଥିଲେ। ଉକ୍ତ ଫଟୋ ତିଆରି କରିବାକୁ ତାଙ୍କୁ ୩ଦିନ ସମୟ ଲାଗିଥିଲା। ଆକ୍ରିଲିକ୍‌ ପେଣ୍ଟ ସାହାଯ୍ୟରେ ଏହି ଚିତ୍ର ଆଙ୍କି ମ୍ୟୁଜିକ୍‌ ଦେଇ ରାହୁଲ ତାହାକୁ ସୋସିଆଲ ମିଡିଆ ୟୁ ଟ୍ୟୁବ୍‌ରେ ଶେୟାର କରିଥିଲେ। ଅଭିନେତା ଶାହାରୁଖ ଖାନ୍‌ ତାହାକୁ ଦେଖି ରାହୁଲଙ୍କ ଚିତ୍ରକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି। ସେ ଏହାକୁ ନିଜ ଟୁଇଟର ଆକାଉଣ୍ଟରୁ ଶେୟାର କରିଛନ୍ତି। ଆପଣ ଜଣେ ଦକ୍ଷ ଚିତ୍ରକର। ଏହା ସୁନ୍ଦର ଚିତ୍ରକଳା ବୋଲି ନିଜ ଟୁଇଟ୍‌ରେ ଜଣାଇଛନ୍ତି। ଶାହାରୁଖ୍‌ଙ୍କ ଟୁଇଟ୍‌ ପରେ ରାହୁଲଙ୍କୁ ତାଙ୍କ ପରିବାର, ବନ୍ଧୁ ଓ ସମ୍ପର୍କୀୟମାନେ ପ୍ରଶଂସା କରୁଛନ୍ତି। ପ୍ରକାଶ ଯେ, ରାହୁଲଙ୍କ ବାପା ଶିବପ୍ରସାଦ ପାତ୍ର ଓ ମା ସୁବାସିନୀ ଉଭୟେ ଶିକ୍ଷକ। ରାହୁଲ ଇଞ୍ଜିନିୟରିଂ ସାରିବା ପରେ ବେଙ୍ଗାଲୁରୁରେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ କାମ କରନ୍ତି। ତେବେ ବର୍ତ୍ତମାନ ତାଙ୍କର ୱାର୍କ ଫ୍ରମ୍‌ ହୋମ୍‌ ଚାଲିଛି। ଫୁର୍‌ସତ ମିଳିଲେ ସେ ବିଭିନ୍ନ ପ୍ରକାର ଚିତ୍ର ଆଙ୍କିଥାନ୍ତି।