ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା ଏବଂ ବୃନ୍ଦାବନ ପଡ଼ିଆ ମଧ୍ୟ ଅଛି। କେବଳ ସେତିକି ନୁହେଁ, ଏଠାରେ ଶ୍ରୀକୃଷ୍ଣ ଥିବାବେଳେ କଂସ ମହାରାଜ ଏବଂ ତାଙ୍କ ପ୍ରଜାମାନେ ମଧ୍ୟ ରହିଛନ୍ତି। ଶ୍ରୀକୃଷ୍ଣଙ୍କ ଲୀଳାରେ ସମସ୍ତେ ହଜିଯାଆନ୍ତି। ଫଳରେ କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର ଲୋକେ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଉପଭୋଗ କରିବା ପାଇଁ ଏଠାକୁ ଧାଇଁଆସନ୍ତି ଏବଂ ଏହି ନିଆରା ମହୋତ୍ସବର ଦିବ୍ୟ ଅନୁଭବ ନେଇ ଫେରିଯାଆନ୍ତି। ବରଗଡ଼ ଧନୁଯାତ୍ରା ମହୋତ୍ସବ ସାମାଜିକ ଜୀବନରେ ଆଧ୍ୟାତ୍ମିକତାର ନିଦର୍ଶନ ବୋଲି ମଙ୍ଗଳବାର ରାଜ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଂସ ଦରବାରରେ ମତପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, କେବଳ ସଂସ୍କୃତି ନୁହେଁ, ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ଧନୁଯାତ୍ରା ମହୋତ୍ସବର ଯଥେଷ୍ଟ ଭୂମିକା ରହିଛି। ଏଠାରେ ହସ୍ତତନ୍ତ ମେଳା, ପଲ୍ଲିଶ୍ରୀ ମେଳା ଏବଂ ମୀନାବଜାର ପଡ଼ିଛି। ଏଥିରୁ ଅନେକ ସ୍ବାବଳମ୍ବୀ ରୋଜଗାରକ୍ଷମ ହୋଇ ପାରୁଛନ୍ତି। ଫଳରେ ଧନୁଯାତ୍ରା ମହୋତ୍ସବର ବିକାଶ ସହିତ ଏହାକୁ ଆହୁରି ଦିବ୍ୟ ଏବଂ ଭବ୍ୟ କରିବା ପାଇଁ ଆଗକୁ ମଧ୍ୟ ସରକାର ବହୁବିଧ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।
ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ରଖିବା ଆରମ୍ଭରୁ କଂସ ମହାରାଜଙ୍କ ଜୟଗାନ କରିବା ସହିତ ଜୟ ଜଗନ୍ନାଥ, ଜୟ ମାଁ ସମଲେଶ୍ୱରୀ, ଜୟ ନୃସିଂହନାଥ କହିଥିଲେ। ତେବେ ରାଜ ଅତିଥି ତଥା ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଜୟ ଜଗନ୍ନାଥ ଶୁଣି କଂସ ମହାରାଜ ବିଗିଡ଼ି ଯାଇଥିଲେ। କଂସ ମହାରାଜ ନିଜ ଆସନରୁ ଉଠି ପଡ଼ି ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ, ମଥୁରା ରାଜ୍ୟରେ ଜଗନ୍ନାଥଙ୍କ କାମ ଚାଲୁ ନାହିଁ। ଏଇଠି ଜଗତର ନାଥ କଂସ ମହାରାଜ। କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରି କହିଥିଲେ, ମୋର ଚତୁଃପାର୍ଶ୍ୱରେ ଶତ୍ରୁ ଘେରି ରହିଛନ୍ତି, ଏହା କ’ଣ ଏକ ଷଡ଼ଯନ୍ତ୍ର ନୁହେଁ କି? ମଥୁରାକୁ କେହି ଶତ୍ରୁ ପଶି ପାରିବେନି ବୋଲି ଯେତେବେଳେ ପାତ୍ରମନ୍ତ୍ରୀଗଣ କହିଥିଲେ, ସେତେବେଳେ କଂସ ମହାରାଜ ଶାନ୍ତ ପଡ଼ିଥିଲେ ଏବଂ ବକ୍ତବ୍ୟ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆଦେଶ କରିଥିଲେ। ଏହି ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।
Dharitri – Odisha’s No.1 Odia Daily


