ରାଜା ଅବଦୁଲାଙ୍କୁ ହତ୍ୟା ଯୋଜନା କରିଥିଲେ କ୍ରାଉନ୍‌ ପ୍ରିନ୍ସ

ରିୟାଧ, ୨୬।୧୦: ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ(ଏମ୍‌ବିଏସ୍‌) ୨୦୧୪ରେ ତତ୍କାଳୀନ ରାଜା ଅବଦୁଲ୍ଲାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏକ ବିଷଯୁକ୍ତ ରିଙ୍ଗ୍‌ ସହାୟତାରେ ମାରିବା ପାଇଁ ଏମ୍‌ବିଏସ୍‌ କଥା ହେଉଥିଲେ। ଏହି ଯୋଜନା ସମ୍ପର୍କରେ ସାଉଦି ଆରବର ପୂର୍ବତନ ଗୋଇନ୍ଦା ଅଧିକାରୀ ସାଦ୍‌ ଅଲଜାବ୍ରି ଜାଣିଦେବାରୁ ତାଙ୍କୁ ମଧ୍ୟ ମାରିଦେବାକୁ କ୍ରାଉନ୍‌ ପ୍ରିନ୍ସ ଚାହିଁଥିଲେ ବୋଲି ଆମେରିକାର ସିବିଏସ୍‌ ଟେଲିଭିଜନ ଚ୍ୟାନେଲକୁ ଏକ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି।
ରବିବାର ପ୍ରସାରିତ ହୋଇଥିବା ୬୦ ମିନିଟ୍‌ର ଏକ ଭିଡିଓରେ ସାଦ୍‌ କହିଛନ୍ତି, ରାଜାଙ୍କ ଉତ୍ତରାଧିକାରୀ ତଥା ୪ ବର୍ଷ ପୂର୍ବରୁ ଶାସନ କ୍ଷମତା ପ୍ରୟୋଗ କରି ଆସୁଥିବା ଏମ୍‌ବିଏସ୍‌ ଏକଦା କହିଥିଲେ, ସେ ରୁଷିଆରୁ ଏକ ବିଷ ମୁଦି ଆଣିଛନ୍ତି। ଉକ୍ତ ମୁଦି ପିନ୍ଧାଇଦେଲେ ରାଜା ଅବଦୁଲ୍ଲାଙ୍କ ମୃତ୍ୟୁ ହୋଇଯିବ। ୨୦୧୮ରେ ସ୍ତମ୍ଭକାର ଜମାଲ ଖାଶୋଗୀଙ୍କୁ ଏମ୍‌ବିଏସ୍‌ ଯୋଜନାବଦ୍ଧ ଭାବେ ହତ୍ୟା କରିବାର କିଛି ସପ୍ତାହ ପରେ ସାଦ୍‌ଙ୍କୁ ମାରିଦେବାକୁ ଚାହିଁଥିଲେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସାଦ୍‌ ଦୁର୍ନୀତିଗ୍ରସ୍ତ ପୂର୍ବତନ ଅଧିକାରୀ। ତାଙ୍କ ବିରୋଧରେ ଗୁରୁତର ଦୁର୍ନୀତି ଅଭିଯୋଗ ରହିଥିବାରୁ ଏହାକୁ ଲୁଚାଇବା ପାଇଁ ସେ ବିଭିନ୍ନ ସମୟରେ ଏଭଳି ମନଗଢ଼ା ଅଭିଯୋଗ କରିଥାନ୍ତି ବୋଲି ସାଉଦି ସରକାର ସିବିଏସ୍‌କୁ କହିଛନ୍ତି। ତେବେ ସାଉଦି ସରକାରଙ୍କ ଅନ୍ତର୍ଜାତୀୟ ଯୋଗାଯୋଗ କେନ୍ଦ୍ରକୁ ଏ ସମ୍ପର୍କରେ ଜାଣିବା ପାଇଁ ଇ-ମେଲ୍‌ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ।
୨୦୧୫ରେ ରାଜା ଅବଦୁଲାଙ୍କ ମୃତ୍ୟୁ ପରେ ଏମ୍‌ବିଏସ୍‌ଙ୍କ ବାପା ସଲମାନ ବିନ୍‌ ଅବଦୁଲାଜିଜ୍‌ ଶାସନ କ୍ଷମତା ହାସଲ କରିଥିଲେ। ପୂର୍ବତନ କ୍ରାଉନ୍‌ ପ୍ରିନ୍ସ ତଥା ସାଉଦିର ଆଭ୍ୟନ୍ତରୀଣ ମନ୍ତ୍ରୀ ପ୍ରିନ୍ସ ମହମ୍ମଦ ବିନ୍‌ ନାୟେଫଙ୍କର ଅତି ଘନିଷ୍ଠ ଥିଲେ ସାଦ୍‌। ନାୟେଫ୍‌ ବର୍ତ୍ତମାନର କ୍ରାଉନ୍‌ ପ୍ରିନ୍ସ ଏମ୍‌ବିଏସ୍‌ଙ୍କର ସମ୍ପର୍କୀୟ ଭାଇ ଓ ପ୍ରତିଦ୍ୱନ୍ଦ୍ୱୀ ଥିଲେ। ଏମ୍‌ବିଏସ୍‌ କ୍ଷମତା ହାସଲ କରିବା ପରେ ସାଦ୍‌ କାନାଡ଼ା ଚାଲିଯାଇ ନିର୍ବାସନରେ ରହିଥିଲେ। ତାଙ୍କୁ ଖୋଜି ବାହାର କରିବା ସହ ହତ୍ୟା କରିବା ଲାଗି ଏମ୍‌ବିଏସ୍‌ ଗୋଟିଏ ଟିମ୍‌ ପଠାଇଥିବା ନେଇ ସାଦ୍‌ ୨୦୨୦ରେ ଓ୍ବାଶିଂଟନରେ ଏକ ମାମଲା ଦାଏର କରିଥିଲେ।

Share