ଆମେରିକା-ଦକ୍ଷିଣ କୋରିଆକୁ କିମ୍‌ଙ୍କ ଖୋଲା ଚ୍ୟାଲେଞ୍ଜ୍‌, ପୁଣି ଜାପାନ ଉପର ଦେଇ ୨ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ…

ପ୍ୟୋଙ୍ଗୟାଙ୍ଗ,୯।୧୦ : ଉତ୍ତର କୋରିଆ ଦୁଇ ସପ୍ତାହ ମଧ୍ୟରେ ସପ୍ତମ ଥର ପାଇଁ ଜାପାନ ଆଡକୁ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରିଛି। ଉତ୍ତର କୋରିଆର ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ଜାପାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜରୁରୀକାଳୀନ ସତର୍କ ସୂଚନା ଜାରି କରାଯାଇଛି।

ଦକ୍ଷିଣ କୋରିଆର ଯୁଗ୍ମ ମୁଖ୍ୟ କହିଛନ୍ତି ଯେ ପ୍ୟୋଙ୍ଗୟାଙ୍ଗ ରବିବାର ଦକ୍ଷିଣ ପୂର୍ବ ଉପକୂଳବର୍ତ୍ତୀ ସହର ମୁଞ୍ଚନରୁ ଦୁଇଟି କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରିଛି। ପ୍ରଥମଟି ପ୍ରାୟ ସ୍ଥାନୀୟ ସମୟ ଅପରାହ୍ନ ୧ଟା ୪୭ରେ ଏବଂ ଦ୍ୱିତୀୟଟି ପ୍ରାୟ ଛଅ ମିନିଟ ପରେ ଉତ୍‌କ୍ଷେପଣ କରାଯାଇଛି। ଏପରି କରି ଆମେରିକା-ଦକ୍ଷିଣ କୋରିଆକୁ କିମ୍‌ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

ଜାପାନ ସରକାର କହିଛନ୍ତି ଯେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରିଛନ୍ତି। ଜାପାନର ପ୍ରତିରକ୍ଷା ମନ୍ତ୍ରୀ ତୋଶିରୋ ଇନୋ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଦୁଇଟି କ୍ଷେପଣାସ୍ତ୍ର ୧୦୦ କିଲୋମିଟର ଉଚ୍ଚତାରେ ପହଞ୍ଚିବା ସହିତ ୩୫୦ କିଲୋମିଟର ଅତିକ୍ରମ କରିଛନ୍ତି। ସେ କହିଛନ୍ତି ଯେ ଉଭୟ କ୍ଷେପଣାସ୍ତ୍ର ଜାପାନର ସ୍ବତନ୍ତ୍ର ଅର୍ଥନୈତିକ ଜୋନ ବାହାରେ ପଡିଛି। ଅଧିକାରୀମାନେ କିମ୍‌ କେଉଁ ପ୍ରକାରର କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛନ୍ତି ତାହା ଅନୁସନ୍ଧାନ କରୁଛନ୍ତି। ଏହା ବୁଡ଼ାଜାହାଜ ଦ୍ୱାରା ଉତକ୍ଷେପଣ ହୋଇଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ର ବୋଲି ଅନୁମାନ କରାଯାଉଛି।

ଆମେରିକାର ଶତ୍ରୁତାର ଜବାବ ଲାଗି ଏବଂ ଆତ୍ମରକ୍ଷା ପାଇଁ କ୍ଷେପଣାସ୍ତ୍ର ପରୀକ୍ଷଣ ଆବଶ୍ୟକ ବୋଲି ଉତ୍ତର କୋରିଆର ଶାସକ କିମ୍‌ ଯୁକ୍ତି ଦର୍ଶାଇଛନ୍ତିି। ତେବେ ଆମେରିକା ଏବଂ ଦକ୍ଷିଣ କୋରିଆର ଅଧିକାରୀମାନେ ବାରମ୍ବାର କହିଛନ୍ତି ଯେ ଉତ୍ତର କୋରିଆ ଉପରେ ଆକ୍ରମଣ କରିବାର ସେମାନଙ୍କର ଉଦ୍ଦେଶ୍ୟ ନାହିଁ।

Share