ଏକ ଛତ୍ରବାଦୀ ଶାସକ କିମ୍‌ଙ୍କ ନୂଆ ଆଦେଶ: ପୋଷା କୁକୁରକୁ ହତ୍ୟାକରି ଖାଇବେ ଲୋକେ

ସିଓଲ, ୧୯।୮: ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଏବେ ଦେଶରେ ନୂଆ ଆଦେଶ ଜାରି କରିଛନ୍ତି। ନୂଆ ଆଦେଶ ଅନୁସାରେ ଘରେ ପୋଷା କୁକୁର ରଖିବା ପୁଞ୍ଜିବାଦ ବିଚାରଧାରାର ପ୍ରତୀକ। ତେଣୁ କୁକୁରକୁ ହତ୍ୟା କରିବା ସହିତ ମାଂସ ଖାଇବାକୁ କିମ୍‌ ନିର୍ଦ୍ଦେଶ ଜାରି କରିଛନ୍ତି। ଏଠାରେ କୁକୁରକୁ ଧରି ସରକାରୀ ଜଡ଼ିଆଖାନାରେ ବିକ୍ରି କରାଯାଉଛି। ସେହିପରି ମାଂସ ଦୋକାନରେ ମଧ୍ୟ କୁକୁରକୁ ବିକ୍ରି କରାଯାଉଛି। ଏବେ ପୋଷା କୁକୁର ରଖିଥିବା ମାଲିକଙ୍କ ଆଖିରୁ ନିଦ ହଜି ଯାଇଛି। ପୂର୍ବରୁ ଜୁଲାଇରେ କିମ୍‌ ଘରେ କୁକୁର ରଖିବା ଆଇନ ଅନୁସାରେ ଦଣ୍ଡନୀୟ ବୋଲି ଘୋଷଣା କରିଥିଲେ। ଏହା ଦ୍ୱାରା ପୁଞ୍ଜିବାଦ ବିଚାରଧାରାକୁ ସମର୍ଥନ କରାଯାଉଥିବା କିମ୍‌ କହିଥିଲେ। ଏନେଇ ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ଚୋସୁନ୍‌ ଇଲ୍‌ବୋରେ ଖବର ପ୍ରକାଶିତ ହୋଇଥିଲା। ଏହାପରେ ଉତ୍ତରକୋରିଆ ପ୍ରଶାସନ ପକ୍ଷରୁ ପୋଷା କୁକୁର ରଖାଯାଇଥିବା ଘରଗୁଡ଼ିକୁ ଚିହ୍ନଟ କରାଯାଇଛି। ସେମାନଙ୍କୁ କୁକୁର ସରକାରଙ୍କୁ ହସ୍ତାନ୍ତର ପାଇଁ ବାଧ୍ୟ କରାଯାଉଛି। ସୂଚନାଯୋଗ୍ୟ, କରୋନା ମହାମାରୀ ସଙ୍କଟରେ ଉତ୍ତରକୋରିଆରେ ଖାଦ୍ୟ ଅଭାବ ଦେଖାଦେଇଛି। ଦେଶର ୫୫ ଲକ୍ଷ ଜନସଂଖ୍ୟା ମଧ୍ୟରୁ ୬୦ ପ୍ରତିଶତ ଲୋକଙ୍କ ପାଖରେ ଖାଇବାକୁ ଦାନା ନାହିଁ। ଏପରିସ୍ଥଳେ କିମ୍‌ଙ୍କ ଅଜବ ନିର୍ଦ୍ଦେଶ ଲୋକଙ୍କ ପାଇଁ ସମସ୍ୟା ପାଲଟିଛି।

Share