କିମ୍‌ ଜୋଙ୍ଗ୍‌ଙ୍କ ଅମାନବୀୟ କାର୍ଯ୍ୟ: ସମାଲୋଚନା କରିବାରୁ ୫ ଅଧିକାରୀଙ୍କୁ ହତ୍ୟା

ପୋୟାଙ୍ଗ୍‌ୟାଙ୍ଗ, ୧୨।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଅମାନବୀୟ କାର୍ଯ୍ୟ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ତାଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ଆର୍ଥିକ ନୀତିର ସମାଲୋଚନା କରିବାରୁ ୫ ଜଣ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟା କରାଯାଇଥିବା ଅଧିକାରୀମାନେ ଦେଶର ଅର୍ଥନୀତି ସୁଧାର କ୍ଷେତ୍ରରେ କାମ କରୁଥିଲେ। ଏକ ରାତ୍ର ଭୋଜନରେ ସେମାନେ କିମ୍‌ଙ୍କ ନୀତିର କଡ଼ା ସମାଲୋଚନା କରିଥିଲେ। ପରେ ସେମାନଙ୍କୁ ଗିରଫ କରାଯାଇ ଥିଲା। ଏହାପରେ ୨୦୧୯ ଜୁଲାଇ ୩୦ରେ ସେମାନଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ଡେଲି ଏନ୍‌କେ ରିପୋର୍ଟ ଅନୁସାରେ ଅର୍ଥମନ୍ତ୍ରଣାଳୟରେ କାର୍ଯ୍ୟକରୁଥିବା ଏହି ଅଧିକାରୀମାନେ ପରିବର୍ତ୍ତିତ ଆର୍ଥିକ ନୀତି ସମ୍ପର୍କରେ ଖୋଲାଖାଲି ନିଜର ମତାମତ ପୋଷଣ କରିଥିଲେ। ସମ୍ପୃକ୍ତ ଅଧିକାରୀଙ୍କ ପରିବାର ସଦସ୍ୟଙ୍କୁ ଓ୍ବୋଡୋକ ସ୍ଥିତ ରାଜନୈତିକ କ୍ୟାମ୍ପ୍‌କୁ ସ୍ଥାନାନ୍ତର କରାଯାଇଛି। କରୋନା ମହାମାରୀ ସଙ୍କଟ ଯୋଗୁ ଦେଶର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଏବେ ଉତ୍ତର କୋରିଆ ଗରିବ ଦେଶମଧ୍ୟରେ ସାମିଲ ହୋଇଛି। ସମ୍ପୃକ୍ତ ଅଧିକାରୀମାନେ ଦେଶର ଶିଳ୍ପ କ୍ଷେତ୍ରରେ ସୁଧାର ଆଣିବା ଉପରେ ମତପୋଷଣ କରିଥିଲେ l ଏପରି କରି ସେମାନେ କିମ୍‌ଙ୍କ ନୀତିର ସମାଲୋଚନା କରିଥିବା ଅଭିଯୋଗ ହୋଇଥିଲା। ସେମାନଙ୍କୁ ନିଜର ଦୋଷ ସ୍ବୀକାର କରିବାକୁ ବାଧ୍ୟ କରାଯାଇଥିବା ଡେଲି ଏନ୍‌କେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share