ଅସୁବିଧାରେ ଫସିଥିବା କିମ୍‌ ଜୋଙ୍ଗ୍‌ ଭଉଣୀଙ୍କୁ ଦେଲେ ଏହି ବଡ଼ ଦାୟିତ୍ୱ

ସିଓଲ,୨୧ା୮: କରୋନା ଭାଇରସ୍‌ ଏବଂ ବିଶ୍ୱସ୍ତରୀୟ ପ୍ରତିବନ୍ଧକ ଯୋଗୁ ଉତ୍ତରକୋରିଆର ଆର୍ଥତ୍କ ମେରୁଦଣ୍ଡ ଭୁଶୁଡ଼ି ପଡ଼ିଛି। ଫଳରେ ଏଠାକାର ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ବହୁତ ଚିନ୍ତାରେ ପଡ଼ିଛନ୍ତି। ଏହି କାରଣରୁ ଏବେ କିମ୍‌ ଆମେରିକା ସହିତ ସମ୍ପର୍କ ସୁଦୃଢ଼ କରିବାକୁ ନିଜ ଭଉଣୀକୁ ଦାୟିତ୍ୱ ଦେଇଛନ୍ତି।
କିମ୍‌ ଏକ ବୈଠକରେ କହିଛନ୍ତି, ଦେଶ ଅପ୍ରତ୍ୟାଶିତ ଏବଂ ଅପରିହାର୍ଯ୍ୟ ସ୍ଥିତିର ସାମ୍ନା କରୁଛି। ତେଣୁ ଏହାର ବିକାଶ ଲକ୍ଷ୍ୟରେ ବିଳମ୍ବ ହେଉଛି।


ଏକ ରିପୋର୍ଟ ଅନୁଯାୟୀ, ଉକ୍ତ ବୈଠକରେ ଆର୍ଥିକ ମାନ୍ଦାବସ୍ଥାର ବଡ଼ କାରଣ ହେଲା ପ୍ରତିବନ୍ଧକ। ଏହା ବ୍ୟତୀତ ବନ୍ୟା ଏବଂ କରୋନା ମହାମାରୀ ଉତ୍ତରକୋରିଆର ଆର୍ଥତ୍କ ବ୍ୟବସ୍ଥାକୁ ଦୁଇ ଦଶକ ମଧ୍ୟରେ ସବୁଠୁ ଖରାପ ସ୍ଥିତିରେ ପହଞ୍ଚାଇଛି।

ଉତ୍ତର କୋରିଆର ପରିସ୍ଥିତି ସମ୍ପର୍କରେ ଦକ୍ଷିଣ କୋରିଆର ଏମ୍‌ପିମାନେ ଗଣମାଧ୍ୟମକୁ କହିଛନ୍ତି ଯେ, ଦେଶର ଗୁପ୍ତଚର ଏଜେନ୍ସି ଅନୁଯାୟୀ କିମ୍‌ ତାଙ୍କ ସାନ ଭଉଣୀ କିମ୍‌ ୟୋ ଜୋଙ୍ଗଙ୍କୁ ସିଓଲ ଏବଂ ଓ୍ବାଶିଂଟନ ସହ ସମ୍ପର୍କ ସୁଦୃଢ଼ କରିବାର ଦାୟିତ୍ୱ ଦେଇଛନ୍ତି। ଅତୀତରେ ସେ କୂଟନୈତିକ ମାମଲାରେ ଏକ ସାଧାରଣ ଭୂମିକା ଗ୍ରହଣ କରିଥିଲେ।

Share