ପିତାଙ୍କ ଜୟନ୍ତିରେ ହଜାର ହଜାର ଲୋକଙ୍କୁ ଥଣ୍ଡାରେ ଠିଆ କରାଇଲେ କିମ୍‌

ପ୍ୟୋଙ୍ଗୟାଙ୍ଗ,୧୮ ।୨: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନଙ୍କର ଆଉ ଏକ କ୍ରୁରତା ସାମ୍ନାକୁ ଆସିଛି । କିମ୍ ତାଙ୍କ ପିତା କିମ୍ ଜନ ଇଲଙ୍କ ୮୦ ତମ ଜୟନ୍ତି ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜନତାଙ୍କ ସାମ୍ନାରେ ତାଙ୍କ ପିତାଙ୍କ ପ୍ରଶଂସା କରିଥିଲେ । ତେବେ ଏହାକୁ ଶୁଣିବା ପାଇଁ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକେ ସମ୍ପୂର୍ଣ୍ଣ ଭାବେ ଥଣ୍ଡାରେ ଠିଆ ହୋଇ ରହିଥିଲେ । କୁହାଯାଉଛି କି ସେଠାରେ ମାଇନସ୍ ୧୫ ଡିଗ୍ରୀ ତାପମାତ୍ରା ଥିଲେ ବି ଲୋକେ ବାଧ୍ୟ ହୋଇ ସେଠାରେ ହାଡଭଙ୍ଗା ଶୀତରେ ଠିଆ ହୋଇ କିମଙ୍କ ଭାଷଣ ଶୁଣିଥିଲେ । କେବଳ ସେତିକି ନୁହେଁ, ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା କଳାକାରମାନେ ବି ଏହି ଥଣ୍ଡାରେ ପାଣିରେ ପଶି ପରଫର୍ମ କରିବାକୁ ବାଧ୍ୟ ହୋଇଥିଲେ । ତେବେ କିମ୍ ନିଜେ ଯେଉଁଠି ବସିଥିଲେ ସେଠାରେ ଇଲେକ୍ଟ୍ରିକ ତା’ର ନଜର ଆସିଥିଲା । ଏଥିରୁ ଅନୁମାନ କରାଯାଇଥିଲା କି କିମ୍ ନିଜେ ଥଣ୍ଡାରୁ ଦୂରେଇ ରହିବାକୁ ସବୁ ପ୍ରକାର ବନ୍ଦୋବସ୍ତ କରିଥିଲେ । କାରଣ ଏହି ତା’ର ସମ୍ଭବତଃ ହିଟର ଥିଲା । ସୂଚନାଯୋଗ୍ୟ, କିଛିଦିନ ତଳେ ପିତା କିମ ଜନ୍ ଇଲଙ୍କ ଜୟନ୍ତିରେ ସାମିଲ ହେବାକୁ ଥିବା କମଜୋଂଗିଲିୟା ବେଗୋନିୟା ଫୁଲ ନ ଫୁଟାଇ ପାରିବାରୁ କେତେଜଣ ମାଳିଙ୍କୁ ଲେବର କ୍ୟାମ୍ପ ପଠାଇ ଦେଇଥିଲେ କିମ୍ । ସେହି ଲେବର କ୍ୟାମ୍ପକୁ ଯାଇଥିବା ଲୋକଙ୍କୁ ବିଶ୍ରାମ ନ ଦେଇ ୨୪ ଘଣ୍ଟା ପ୍ରରିଶ୍ରମ କରିବାକୁ କୁହାଯାଇଥାଏ । ସୂଚନାଯୋଗ୍ୟ, କିମଙ୍କ ପିତା କିମ ଜଙ୍ଗ ଇଲଙ୍କର ମୃତ୍ୟୁ ୨୦୧୧ରେ ହୋଇଥିଲା । ଏହାପରେ ଶାସନ ଭାର ସମ୍ଭାଳିଥିବା କିମ ଜୋନ ଉନ ନିଜ ପିତାଙ୍କ ସ୍ମୃତିରେ ପ୍ରତିବର୍ଷ ଡେ ଅଫ୍ ଶାଇନିଂ ଷ୍ଟାରର ଆୟୋଜନ କରିଥାଆନ୍ତି । ଏହା ସମଗ୍ର ଦେଶରେ ପାଳନ କରାଯାଇଥାଏ । ଏହି ଅବସରରେ ଫ୍ଲାୱାର ଶୋ’ ଓ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ବି କରାଯାଇଥାଏ । ଇଲଙ୍କ ଜୟନ୍ତି ଅବସରରେ ସାରା ଦେଶରେ ଛୁଟି ଘୋଷଣା କରାଯାଇଥାଏ । ଏହି ସମୟରେ ଯଦି କେହି କିଛି ଛୋଟ ଭୁଲ ବି କରିଥାଏ ତେବେ ତାଙ୍କୁ କଠୋର ଦଣ୍ଡ ଦିଆଯାଇଥାଏ ।

Share