ଉତ୍ତର କୋରିଆରେ ଲେଦର ଜ୍ୟାକେଟ ପିନ୍ଧିବା ମହଙ୍ଗା ପଡିପାରେ

ପୋଙ୍ଗୟାଙ୍ଗ,୨୬ ।୧୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ନିଜ ଦେଶର ଜନତାଙ୍କ ପାଇଁ ଏକ ଅଦ୍ଭୁତ ନିୟମ ଲାଗୁ କରିଛନ୍ତି । ନିକଟରେ ତାଙ୍କ ପସନ୍ଦର ଲେଦର କୋର୍ଟର ନକଲ କରିବାରୁ ସେ ରାଗି ଯାଇଥିଲେ, ଆଉ ଏହାପରେ ଦେଶରେ ଲେଦର କୋଟ ବିକ୍ରି ଓ ପରିଧାନ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି । ଏହି ନିୟମ ପରେ ଉତ୍ତର କୋରିଆରେ ନା କେହି ଲେଦର କୋଟ ବିକ୍ରି କରି ପାରିବେ ନା କେହି ପିନ୍ଧିପାରିବେ । ଏକ ରିପୋର୍ଟ ଅନୁଯାୟୀ କିମ ଜୋନ ଉନ ୨୦୧୯ରେ ପ୍ରଥମେ ଏହି ଲେଦର କୋଟ ପିନ୍ଧିଥିଲେ, ଯାହାକୁ ସାରା ଦେଶ ବହୁତ ପସନ୍ଦ କରିଥିଲା ଓ ଏହାକୁ ନେଇ ଉତ୍ତର କୋରିଆ ଗଣମାଧ୍ୟମରେ ଚର୍ଚ୍ଚା ବି ହୋଇଥିଲା । ସେତେବେଳେ ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଉତ୍ତର କୋରିଆର ପରମାଣୁ ଭଣ୍ଡାର ଉପରେ ଚର୍ଚ୍ଚା କରୁଥିଲେ । ପ୍ରଥମେ ପ୍ରଥମେ ଏହି ମହଙ୍ଗା କୋଟକୁ କେବଳ ଧନୀ ଲୋକେ ପିନ୍ଧିବା ଆରମ୍ଭ କରିଥିଲେ । ହେଲେ ଧୀରେ ଧୀରେ ଶସ୍ତା ଲେଦର କ୍ୱାଲିଟିର ଏମିତି କୋର୍ଟ ମିଳିବା ପରେ ପ୍ରାୟ ସମସ୍ତ ବର୍ଗର ଲୋକେ ଏହାକୁ ପିନ୍ଧିବା ଆରମ୍ଭ କରିଦେଇଥିଲେ । ଆଉ ଏବେ ଏହା ଉପରେ ପ୍ରତିବନ୍ଧକ ଲଗାଇବା ଫଳରେ କେହି ଏହାକୁ ବ୍ୟବହାର କରିପାରିବେ ନାହିଁ । କିମ ଜୋନ ଉନଙ୍କ ଚିନ୍ତାଧାରା ହେଉଛି ସବୁବର୍ଗର ଲୋକେ ଏମିତି କୋର୍ଟ ପିନ୍ଧି ତାଙ୍କ ପ୍ରଭୁତ୍ୱ ଓ ଅଧିକାରକୁ କମଜୋର କରିଦେଉଛନ୍ତି ।

Share