ପ୍ରେମ କରିବାରୁ ଝିଅକୁ ହତ୍ୟା

ବାଲେଶ୍ୱର ଅଫିସ,୨୯ା୬: ପ୍ରେମ ନ କରିବାକୁ ନାବାଳିକା ଝିଅକୁ ବାରମ୍ବାର ବାରଣ କରିବା ପରେ ବି ମାନିଲାନି। ଶେଷରେ ଅତିଷ୍ଠ ହୋଇ ଝିଅକୁ ତଣ୍ଟିଚିପି ହତ୍ୟା କଲେ ବୋଲି ଜଣେ ମା’ ମଙ୍ଗଳବାର ସନ୍ଧ୍ୟାରେ ବାଲେଶ୍ୱର ଟାଉନ ଥାନାରେ ଆତ୍ମସମର୍ପଣ କରି ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଥିବା ବିଶେଷସୂତ୍ରରୁ ଜାଣିବାକୁ ମିଳିଛି। ଉକ୍ତ ମହିଳାଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବାବେଳେ ଏନେଇ ଟାଉନ ଥାନା ଅଧିକାରୀ କିଛି କହିବାକୁ ମନା କରିଦେଇଛନ୍ତି। ଏଭଳି ଘଟଣା ଜଣାପଡ଼ିବା ପରେ ବାଲେଶ୍ୱର ଟାଉନ ଥାନା ପୁଲବଜାର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁସାରେ ପୁଲବଜାର ଅଞ୍ଚଳର ବେବି ବିବିଙ୍କ ୧୫ବର୍ଷୀୟା ଝିଅ ଜଣେ ପୁଅକୁ ଭଲ ପାଉଥିଲେ। ଏକଥା ଜାଣିବା ପରେ ଉଭୟ ମା’ବାପା ଝିଅକୁ ତାଗିଦ୍‌ କରିଥିଲେ। ଏହାକୁ ନେଇ ଘରେ ବିଭିନ୍ନ ସମୟରେ ଅଶାନ୍ତି ମଧ୍ୟ ଦେଖାଦେଉଥିଲା। ମା’ବାପାଙ୍କ ବାରଣକୁ ଖାତିର ନ କରିବାରୁ ଅତିଷ୍ଠ ହୋଇ ମା’ ଗତ ୨୫ତାରିଖ ଶନିବାର ରାତିରେ ଝିଅ ଶୋଇଥିବାବେଳେ ତା’ର ତଣ୍ଟି ଚିପି ହତ୍ୟା କରିଥିଲେ। ଝିଅର ଶୋଇଥିବା ଅବସ୍ଥାରେ ମୃତ୍ୟୁ ହୋଇଥିବା କହି ରବିବାର ପୂର୍ବାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ବ୍ୟବଚ୍ଛେଦ କରାଯିବା ସହ ହସ୍ପିଟାଲ ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ଇତିମଧ୍ୟରେ ବ୍ୟବଚ୍ଛେଦ ରିପୋର୍ଟ ସାର୍ବଜନୀନ ହୋଇ ନ ଥିବାବେଳେ ମା’ ବେବି ବିବି ଥାନାରେ ଆତ୍ମସମର୍ପଣ କରି ଝିଅକୁ ତଣ୍ଟି ଚିପି ହତ୍ୟା ସମ୍ପର୍କରେ ସ୍ବୀକାର କରିଥିବା ଜଣାପଡ଼ିଛି। ବେବିଙ୍କ ବୟାନକୁ ଆଧାର କରି ପୋଲିସ ତାଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଥିଲେ ସୁଦ୍ଧା ଥାନା ଅଧିକାରୀ ଗୋପାଳ କରଣ କୌଣସି ସୂଚନା ଦେଉ ନାହାନ୍ତି। ଏପରି କି ଘଟଣା ସମ୍ପର୍କରେ ଜାଣିବା ପାଇଁ ଏସ୍‌ପି ସୁଧାଂଶୁ ଶେଖର ମିଶ୍ରଙ୍କୁ ମୋବାଇଲ ନମ୍ବର ୯୪୩୮୯୧୬୩୪୦ରେ ମଙ୍ଗଳବାର ରାତି ୯ଟା ୧୦ରେ ଯୋଗାଯୋଗ କରାଯାଇଥିଲେ ସେ ମଧ୍ୟ ଫୋନ୍‌ ଉଠାଇ ନ ଥିଲେ। ସୂଚନା ଯେ, ବେବି ବିବି ପୂର୍ବରୁ ଜଣଙ୍କୁ ବାହା ହୋଇଥିଲେ। ପରେ ତାଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ। ମୃତା ନାବାଳିକା ଜଣକ ପ୍ରଥମ ସ୍ବାମୀଙ୍କ ସନ୍ତାନ ବୋଲି ଜଣାପଡ଼ିଛି।