ଦୁର୍ଘଟଣା ପରେ ସର୍ଭେ ସଂସ୍ଥାର ଅଫିସରଙ୍କୁ ପିଟି ମାରିଥିଲେ, ଚଢ଼ାଉ କରି ୪ ଜଣଙ୍କୁ ବାନ୍ଧିଲା ପୋଲିସ

ବାଙ୍ଗିରିପୋଷି,୨୨।୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଜାତୀୟ ରାଜପଥ ୪୯ କତରା ଛକ ନିକଟରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିଲା। ଏହାକୁ କେନ୍ଦ୍ର କରି ଉତ୍ୟକ୍ତ ଜନତା ଓ ସ୍ଥାନୀୟ ଗ୍ରାମବାସୀ ସ୍କର୍ପିଓରେ ଥିବା ଏକ ସର୍ଭେ ସଂସ୍ଥାର ଦୁଇ ଜଣ ଅଫିସରଙ୍କୁ ନିର୍ଧୁମ ପିଟିଥିଲେ। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଶୁକ୍ରବାର ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଚାରିଜଣ ଅଭିଯୁକ୍ତ ଗୋଷାଣୀପାଳ ଗ୍ରାମର ଗୌରାଙ୍ଗ ସେଠୀ(୫୧) , ସତ୍ୟଜିତ ସେଠୀ (୨୫), ଆଶୁଆ ଗ୍ରାମର ବଙ୍କିମ ଚନ୍ଦ୍ର ନାଏକ(୫୧), ଡୁମୁରିଆ ଗ୍ରାମର ଆନନ୍ଦ ସେଠୀ (୬୦)ଙ୍କୁ ପୋଲିସ ଗିରଫ କରି ଡାକ୍ତରୀ ମାଇନାପରେ କୋର୍ଟ ଚାଲାଣ କରିଛି। ଆଗାମୀ ଦିନରେ ଅନ୍ୟ ଅଭିଯୁକ୍ତ ଗିରଫ ହେବେ ବୋଲି ଥାନା ଅଧିକାରୀ ସଞ୍ଜୟ କୁମାର ପରିଡ଼ା କହିଛନ୍ତି। ତେବେ ପୋଲିସର ଆଭିମୁଖ୍ୟକୁ ଦେଖି ବହୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ଏହି ଘଟଣାରେ ପୁଲିସ ଦୁଇଟି ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, ମେଗା ଜଳସେଚନ ପ୍ରକଳ୍ପ ସଂସ୍ଥାରେ ନିୟୋଜିତ ଏକ ଦ୍ରୁତଗାମୀ ସ୍କର୍ପିଓ ଧକ୍କାରେ ସ୍ଥାନୀୟ ଗୋଷାଣୀପାଳ ଗ୍ରାମର ହରିହର ସେଠୀ (୬୭)ଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଉତ୍ୟକ୍ତ ଜନତା ଓ ସ୍ଥାନୀୟ ଗ୍ରାମବାସୀ ପାଞ୍ଚ ଘଣ୍ଟା ଧରି ଜାତୀୟ ରାଜପଥ ୪୯କୁ ଅବରୋଧ କରିଥିଲେ। ଏପରିକି ଉତ୍ତ୍ୟକ୍ତ ଲୋକେ ସ୍କର୍ପିଓରେ ଥିବା ଦୁଇ ଅଫିସର, କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ସତ୍ୟ ନାରାୟଣ ନନ୍ଦ(୪୫) ଓ ଉତ୍ତରପ୍ରଦେଶର ଫୁଲ ଚନ୍ଦ୍ର ଶର୍ମା(୪୫)ଙ୍କୁ ନିସ୍ତୁକ ପିଟି ଥିଲେ। ଏଥିରେ ଉଭୟ ଗୁରୁତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବାରିପଦା ଡ଼ାକ୍ତରଖାନାରେ ସତ୍ୟନାରାୟଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଜିଲା ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଡିପିଓ କେ କେ ହରିପ୍ରସାଦ, ଥାନା ଅଧିକାରୀ ସଞ୍ଜୟ କୁମାର ପରିଡ଼ା ଓ ଏକ ପ୍ଲାଟୁନ୍‌ ଫୋର୍ସ ତିନି ଦିନ ଧରି ଗ୍ରାମ ଗୁଡିକରେ ଚଢ଼ାଉ କରିଥିଲେ। ପରେ ଆଠରୁ ଊଦ୍ଧର୍‌ବ ଲୋକଙ୍କୁ ଉଠାଇ ଆଣି ନିଜେ ଏସ୍‌ପି ଜେରା କରିଥିଲେ। ସେଥିମଧ୍ୟରୁ ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।