‘ଯୌତୁକ ପାଇଁ ମୋ ଝିଅକୁ ମାରିଦେଲେ’

ଭଦ୍ରକ ଅଫିସ, ୧୧।୪: ଭଦ୍ରକ ବ୍ଲକ ସାବରଙ୍ଗ ଥାନା ଅଧୀନ ଗୋରାମାଟି ଗ୍ରାମରେ ବଧୂହତ୍ୟା ନେଇ ସୋମବାର ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଛି। ଯୌତୁକ ପାଇଁ ତାଙ୍କ ଝିଅକୁ ଶାଶୁଘର ଲୋକେ ମାରି ଦେଇଥିବା ଅଭିଯୋଗ କରିଛନ୍ତି ତିହିଡ଼ି ଥାନା ଜିଞ୍ଝାରପୁର ଗ୍ରାମର ଗୀତାରାଣୀ ମଳିକ। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ୨୦୧୮ରେ ଗୋରାମାଟି ଗ୍ରାମର ଜଣେ ଯୁବକଙ୍କ ସହ ତାଙ୍କ ଝିଅ ବିଶ୍ୱବିଜୟିନୀଙ୍କର ବୈଦିକ ରୀତିରେ ବିବାହ ହୋଇଥିଲା। ପରେ ଅଧିକ ଯୌତୁକ ଦାବି କରି ଶାଶୁଘର ଲୋକେ ତାଙ୍କ ଝିଅକୁ ନିର୍ଯାତନା ଦେଇଆସୁଥିଲେ। ଚଳିତମାସ ୫ ତାରିଖରେ ଜ୍ୱାଇଁ ଫୋନ କଲ୍‌ କରି ବିଶ୍ୱବିଜୟିନୀ ମରି ଯାଇଥିବା ଜଣାଇଥିଲେ। ଶାଶୁ, ନଣନ୍ଦ ଓ ସ୍ବାମୀ ମିଶି ତାଙ୍କ ଝିଅକୁ ମାରିଦେଇଥିବା ନେଇ ୬ ତାରିଖରେ ସାବରଙ୍ଗ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କିଛି ବୁଝୁନାହିଁ। ଏସ୍‌ପିଙ୍କ ଅନୁପସ୍ଥିତିରେ ଡିଏସ୍‌ପି ସୁନୀଲକାନ୍ତ ମହାନ୍ତିଙ୍କୁ ଅଭିଯୋଗ ଜଣାଇବା ପରେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।