ଅନୈତିକ ସମ୍ପର୍କ ପାଇଁ ପ୍ରଥମ ସ୍ବାମୀଙ୍କୁ ହାଣି ଦେଲେ

ରିଆମାଳ,୧୮।୩(ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ ଛତାବର ଗାଁ ନିକଟସ୍ଥ ବଡ଼ଖୋଲ ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ଅନୈତିକ ସମ୍ପର୍କ ଲାଗି ବାରମ୍ବାର ବାଧ୍ୟ କରିବାରୁ ଜଣେ ମହିଳା ତାଙ୍କର ପ୍ରଥମ ସ୍ବାମୀଙ୍କୁ ଜଙ୍ଗଲକୁ ଡାକି କୁରାଢିରେ ହାଣି ହତ୍ୟାକରି ପକାଇ ଦେଇଥିଲେ। ପୋଲିସ ଏହି ଘଟଣାରେ ଅଭିଯୁକ୍ତ ମହିଳା ରେବତୀ ମହାପାତ୍ରଙ୍କୁ ଗିରଫ କରିଛି।

ଛତାବର ଅଞ୍ଚଳରେ ଜଣେ ଠିକାଦାର ଅଧୀନରେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲାର ଦିଲଦାର ସେଖ ନାମକ ଜଣେ ରାଜମିସ୍ତ୍ରୀ ଓ ତାଙ୍କର ଅନ୍ୟ କେତେକ ଭାଇ ଆସି କାମ କରୁଥିଲେ। ଛତାବର ଅଞ୍ଚଳରେ ରହିବା ସମୟରେ ଦିଲଦାର ଉକ୍ତ ଗ୍ରାମର ରେବତୀ ଓରଫ ରୁବିଙ୍କୁ ପ୍ରେମ ବିବାହ କରିଥିଲେ। ସେମାନଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା l ତେବେ ଦିଲଦାର ଓ ରୁବିଙ୍କ ସମ୍ପର୍କରେ କୌଣସି କାରଣକୁ ନେଇ ଫାଟ ସୃଷ୍ଟି ହୋଇଥିଲା। ମତଭେଦ ବଢ଼ି ଚାଲିବାରୁ ରୁବି ଦିଲଦାର ସହ ସମ୍ପର୍କ ତୁଟାଇ ଛତିଶଗଡ଼ ଅଞ୍ଚଳର ଅନ୍ୟ ଜଣେ ଯୁବକଙ୍କୁ ବିବାହ କରିଥିଲେ। ସେମାନଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ହୋଇଥିଲା। ତେବେ ରୁବି ନିଜ ପୈତୃକ ଘର ଛତାବରରେ ରହୁଥିବା ବେଳେ ପ୍ରଥମ ସ୍ବାମୀ ଦିଲଦାର ମଧ୍ୟ ସେହି ଗ୍ରାମରେ ରହୁଥିଲେ। ଦିଲଦାର ବିଭିନ୍ନ ସମୟରେ ରୁବିଙ୍କୁ ବିଭିନ୍ନ ଆଳରେ ହଇରାଣ ହରକତ କରିବା ସହ ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଏଥିରେ ରୁବି ମାନସିକ ଭାବେ ନିର୍ଯାତିତ ହୋଇ ଦିଲଦାରଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ।

ସପ୍ତାହ ପୂର୍ବେ ରୁବି ଗାଁ ନିକଟସ୍ଥ ଜଙ୍ଗଲକୁ ଅନୈତିକ ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ଦିଲଦାରଙ୍କୁ ଫୋନ ଯୋଗେ ଡାକିଥିଲେ। ଅନୈତିକ ସମ୍ପର୍କ ସ୍ଥାପନ ଆଳରେ ରୁବି ସାଙ୍ଗରେ ନେଇ ଯାଇଥିବା କୁରାଢ଼ି ସାହାଯ୍ୟରେ ଦିଲଦାରଙ୍କ ବେକରେ ଚୋଟ ମାରିଥିଲେ। ଦିଲଦାର ସେଠାରେ ଟଳି ପଡ଼ିଥିଲେ। ଦିଲଦାରଙ୍କ ମୋବାଇଲ ଓ ପର୍ସକୁ ପୋଖରୀରେ ଫିଙ୍ଗି ଦେଇଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢ଼ିକୁ ଘରକୁ ନେଇ ଆସିଥିଲେ। ଘଟଣାର ୬ଦିନ ପର୍ଯ୍ୟନ୍ତ କୌଣସି ସୁରାକ କେହି ପାଇପାରି ନ ଥିବାବେଳେ ବୁଧବାର ମହୁଲ ଗୋଟାଇବାକୁ ଯାଇଥିବା କେତେକ ଗ୍ରାମବାସୀ ମୃତଦେହ ପଡ଼ିଥିବା ଜାଣି ରିଆମାଳ ଥାନା ପୋଲିସକୁ ସୂଚନା ଦେଇଥିଲେ। ମୃତକ ଦିଲଦାରଙ୍କ ଭାଇ ଆକାଶଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏସ୍‌ଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ରିଆମାଳ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ରୁବିଙ୍କୁ ଅଟକ ରଖି ପଚରାଉଚରା ପରେ ସେ ହତ୍ୟା କରିଥିବା ସ୍ବୀକାର କରି ଘଟଣା ବର୍ଣ୍ଣନା କରିଥିଲେ। ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢ଼ି ଓ ଅନ୍ୟାନ୍ୟ ସାମଗ୍ରୀ ପୋଲିସ ଜବତ କରିଛି।