Categories: ଖେଳ

ଷ୍ଟାଡିୟମ ବାହାର ରାସ୍ତାରେ ପଡ଼ିଲା ପୋଲାର୍ଡଙ୍କ ଛକା, ବଲ୍‌ ନେଇ ପଳାଇଲେ ପ୍ରଶଂସକ…

ଶାରଜା,୩୧।୧: ଓ୍ବେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର କିରନ୍‌ ପୋଲାର୍ଡ ପୁଣି ଥରେ ବିସ୍ଫୋରକ ବ୍ୟାଟିଂ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ୟୁଏଇରେ ଖେଳାଯାଉଥିବା ଅନ୍ତର୍ଜାତୀୟ ଲିଗ୍‌ ଟି୨୦(ଆଇଏଲ୍‌ଟି୨୦) ଟୁର୍ନାମେଣ୍ଟରେ ପୋଲାର୍ଡ ଏଭଳି ପ୍ରଦର୍ଶନ କରିଛନ୍ତି। ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ରେ ପୋଲାର୍ଡ ଏଭଳି ୨ ଛକା ମାରିଥିଲେ ଯେ ବଲ୍‌ ଷ୍ଟାଡିୟମ ବାହାରକୁ ଚାଲିଯାଇଥିଲା।

ଆଇଏଲ୍‌ଟି୨୦ ଟୁର୍ନାମେଣ୍ଟରେ ଗୋଟିଏ ଟିମ୍‌ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ)ର ଅଛି, ଯାହାର ନାମ ଏମ୍‌ଆଇ ଏମିରେଟ୍ସ । ପୋଲାର୍ଡ ଏହାର ଅଧିନାୟକ ଅଟନ୍ତି। ଜାନୁୟାରୀ ୨୯, ରବିବାର ମୁମ୍ବାଇ ଏମିରେଟ୍ସ ଡେଜର୍ଟ ଭାଇପର୍ସ ସହ ମୁକାବିଲା ଥିଲା। ଏହି ମ୍ୟାଚ୍‌ରେ ପୋଲାର୍ଡ ବିସ୍ଫୋରକ ପ୍ରଦର୍ଶନ କରି ଦଳକୁ ୧୫୭ ରନ୍‌ରେ ବିଜେତା କରିଛନ୍ତି।

ଶାରଜାଠାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପୋଲାର୍ଡ ୧୯ ବଲ୍‌ରେ ୫୦ ରନ୍‌ର ଇନିଂସ ଖେଳିଥିଲେ। ଏଥିରେ ୪ ଛକା ଏବଂ ସମାନ ସଂଖ୍ୟକ ଚୌକା ଥିଲା। ଏହି ଇନିଂସରେ ସେ ୨ ଲମ୍ବା ଛକା ମାରିଥିଲେ। ଏଥିରେ ବଲ୍‌ ଷ୍ଟାଡିୟମ ବାହାର ରାସ୍ତାରେ ପଡ଼ିଥିଲା। ଏହି ସମୟରେ ଗୋଟିଏ ବଲ୍‌କୁ ଜଣେ ପ୍ରଶଂସକ ରାସ୍ତାରୁ ଉଠାଇ ଫେରାଇବା ବଦଳରେ ନେଇ ପଳାଇ ଯାଇଥିଲେ। ଦ୍ୱିତୀୟ ଥର କିନ୍ତୁ ଭିନ୍ନ କଥା ଘଟିଥିଲା। ଏଥର ଜଣେ ପ୍ରଶଂସକ ବଲ୍‌କୁ ଉଠାଇ ଷ୍ଟାଡିୟମ ଭିତରକୁ ଫିଙ୍ଗିଥିଲେ। ଉଭୟ ଘଟଣା କ୍ୟାମେରାରେ କଏଦ ହୋଇଥିଲା। ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ବେଶ ଭାଇରାଲ ହେଉଛି। ବ୍ୟବହାରକାରୀମାନେ ଏଥିରେ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି।

 

Share