ପ୍ରଥମେ ଯୁବତୀଙ୍କୁ ଅପହରଣ ପରେ ବଳାତ୍କାର, ଶେଷରେ ମାରିଦେବାକୁ ଉଦ୍ୟମ

ବନ୍ତ,୬।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦା ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି ା ଜଣେ ଯୁବତୀଙ୍କୁ ଅପହରଣ ପରେ ବଳାତ୍କାର କରାଯାଇ ଶେଷରେ ନଦୀକୁ ଠେଲି ମାରିଦେବାକୁ ଉଦ୍ୟମ କରାଯାଇଥିବା ନେଇ ଅଭିଯୋଗ ହୋଇଛି।

ଅଭିଯୋଗରୁ ପ୍ରକାଶ ଯେ, କେନ୍ଦୁଆପଦା ଫାଣ୍ଡି ଅଞ୍ଚଳର ଜଣେ ଗରିବ, ଦଳିତ ଶ୍ରେଣୀର ଯୁବତୀଙ୍କୁ ଗଣ୍ଡଗରା ଗ୍ରାମର ଜନୈକ ଯୁବକ ମଙ୍ଗଳବାର ରାତି ପ୍ରାୟ ୧୧ଟାରେ ଘରୁ ଜୋରଜବରଦସ୍ତ ଉଠାଇ ନେଇ ଯାଜପୁରରୋଡ୍‌ ଅଞ୍ଚଳର ଏକ ସ୍ଥାନରେ ରଖି ବଳପୂର୍ବକ ବଳାତ୍କାର କରିଥିଲେ। ଯୁବତୀ ଜଣକ ପ୍ରତିବାଦ କରିବାକୁ ତାଙ୍କୁ ଜାତିଆଣ ଆକ୍ଷେପ କରାଯିବା ସହ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଥିଲା ା ବୁଧବାର ସନ୍ଧ୍ୟାରେ ଅପହରଣକାରୀଙ୍କ ସମେତ ୬ ଜଣ ଯୁବକ ତାଙ୍କୁ ଏକ ବାଇକ୍‌ ଯୋଗେ ଆଣି ପାଟୁଳି ବାଖରପୁରସ୍ଥିତ ନଦୀରେ ତାଙ୍କୁ ଠେଲି ମାରିଦେବାକୁ ଉଦ୍ୟମ କରିଥିଲେ। ପାଟି ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ଗୁରବାର ପୀଡ଼ିତାଙ୍କ ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଜାରି ରଖିଛି ା ଖବର ଲେଖା ହେବା ପର୍ଯ୍ୟନ୍ତ ମାମଲା ରୁଜୁ ହୋଇ ନ ଥିବା ଜଣାଯାଇଛି ା