ଅପହୃତା ନାବାଳିକା ୨ ବର୍ଷ ପରେ କୋଏମ୍ବାଟୁରରୁ ଉଦ୍ଧାର, ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୫ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଅପହୃତା ନାବାଳିକାଙ୍କୁ ୨ ବର୍ଷ ପରେ ପାଟପୁର ପୋଲିସ ତାମିଲନାଡୁ କୋଏମ୍ବାଟୁରରୁ ଉଦ୍ଧାର କରିବାରେ ସମର୍ଥ ହୋଇଛନ୍ତି। ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୁକ୍ତ ଜଣକ ହେଲେ ଯାଜପୁର ଜିଲା ସୁକିନ୍ଦା ଥାନା ପୁମ୍ପୁଡ଼ିଆ ଗ୍ରାମର ଜଗଦୀଶ ବୁଇଆ। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଉଭୟଙ୍କ ଡାକ୍ତରୀ ମାଇନା କରାଯିବା ପରେ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତଦନ୍ତକାରୀ ପୋଲିସ ଅଧିକାରୀ ଏସ୍‌.ଆଇ ଶୁଭଲକ୍ଷ୍ମୀ କଅଁର ଗିରଫ କରି ରବିବାର ବ୍ରହ୍ମପୁର ପୋକ୍ସ କୋର୍ଟକୁ ଚାଲାଣ କରିଛନ୍ତି।

କେସ୍‌ ନଂ.୧୧୪/୨୩ ଅନୁଯାୟୀ, ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ନାବାଳିକା ଜଣକ ପରିବାର ସହ କୋଏମ୍ବାଟୁରରେ ରହୁଥିଲେ। ତାଙ୍କ ବାପା ସେଠାକାର ଏକ ଘରୋଇ କମ୍ପାନୀରେ କାମ କରୁଥିବାବେଳେ ଅଭିଯୁକ୍ତ ଜଣକ ତାଙ୍କ ସହ ବନ୍ଧୁତା କରିଥିଲେ। କିଛିଦିନ ପରେ ନାବାଳିକା ଜଣକ ପରିବାର ସହ ଗାଁକୁ ଫେରିଥିଲେ। ଅଭିଯୁକ୍ତ ଜଣକ ପୀଡ଼ିତାଙ୍କ ଗାଁକୁ ଆସି ଗତ ୨୦୨୩ ମାର୍ଚ୍ଚ ୨ରେ କୌଶଳକ୍ରମେ ପୀଡ଼ିତାଙ୍କୁ ଅପହରଣ କରିଥିଲେ। ଏନେଇ ପୀଡ଼ିତାଙ୍କ ବାପା ପାଟପୁର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଥିଲେ। ଅଭିଯୁକ୍ତ ଜଣକ ବାରମ୍ବାର ଠିକଣା ବଦଳାଉଥିବା କାରଣରୁ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିବାରେ ଅସମର୍ଥ ହୋଇଥିଲେ। ପରେ ଅଭିଯୁକ୍ତଙ୍କ ମୋବାଇଲ ଫୋନ ଟ୍ରାକିଂ କରିବାରୁ ସେ କୋଏମ୍ବାଟୁର ଫେରିଥିବା ଜଣାପଡ଼ିଥିଲା। ଆଇଆଇସି ଦୀପ୍ତିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ପୋଡ଼ାମାରି ଫାଣ୍ଡି ଅଧିକାରୀ ପରମେଶ୍ବର ମଲ୍ଲିକ,କନଷ୍ଟେବଳ ସ୍ବପ୍ନା ସେଠୀ, ହୋମ୍‌ଗାର୍ଡ ଶିବରଞ୍ଜନ ତ୍ରିପାଠୀ କୋଏମ୍ବାଟୁର ଯାଇ ସେଠାକାର ପୋଲିସ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଉଠାଇ ଆଣିଥିଲେ।

Share
Tags: arrested