ନଦୀକୁ ଗାଧୋଇ ଯାଇଥିଲେ କ୍ଷମାନିଧି, ବିରାଟକାୟ କୁମ୍ଭୀର ଟାଣିନେବା ପରେ ଘଟିଲା…

ରାଜନଗର,୫ା୬(ଭାସ୍କର ରାଉତରାୟ): ରାଜଗନର ବ୍ଲକ ବ୍ରାହ୍ମଣୀ ବାଥିଙ୍ଗ ଘାଟରେ ଗାଧୋଉଥିବା ବେଳେ ଜଣେ ଶ୍ରମିକ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ। ସେ ହେଲେ ରାଜନଗର ବ୍ଲକ ବାଲିଚନ୍ଦ୍ରପୁର ଗାଁର କ୍ଷମାନିଧି ଦାସ(୫୦)। ତାଙ୍କ ଦୁଇ ଗୋଡ଼ରେ ଗଭୀର କ୍ଷତ ରହିଛି। ସେହି ସମୟରେ କ୍ଷମାନିଧିଙ୍କ ସହ ଗାଧୋଉଥିବା ୨୦ରୁ ଅଧିକ ଗ୍ରାମବାସୀ ମିଳିତଭାବେ ବାଉଁଶ ଯୋଗେ କୁମ୍ଭୀରକୁ ଆକ୍ରମଣ କରିବା ପରେ ତାଙ୍କୁ କୁମ୍ଭୀର ଛାଡିଦେଇଥିଲା। ଦୀର୍ଘ ୧୫ ମିନିଟ କାଳ କୁମ୍ଭୀର ପାଟିରୁ ଜୀବନ ବଞ୍ଚାଇବା ପାଇଁ ଲଢ଼େଇ କରିଥିଲେ କ୍ଷମାନିଧି। ତାଙ୍କ ଦୁଇ ଗୋଡର ପାଦଠାରୁ ଜଙ୍ଘ ପର୍ଯ୍ୟନ୍ତ ଗଭୀର କ୍ଷତ ଚିହ୍ନ ରହିଛି। ଗୁରୁତର ଅବସ୍ଥାରେ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବାଥିଙ୍ଗ ଘାଟରେ କୁମ୍ଭୀର ଆକ୍ରମଣ ପରେ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କ୍ଷମାନିଧି ଦିନ ମଜୁରିଆଭାବେ କାମ କରନ୍ତି। ଗୁରୁବାର ଗାଁରେ କାମରୁ ଫେରିବା ପରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ନଦୀକୁ ଗାଧୋଇବାକୁ ଯାଇଥିଲେ। ବନବିଭାଗ ଦ୍ୱାରା କରାଯାଇଥିବା ବାଥିଙ୍ଗ ଘାଟରେ ୨୦ରୁ ୨୫ ଜଣ ଗ୍ରାମବାସୀ ଗାଧୋଉଥିଲେ। ଏହି ସମୟରେ ହଠାତ୍‌ ଏକ ବିରାଟକାୟ କୁମ୍ଭୀର ତାଙ୍କ ଗୋଡକୁ ଟାଣିନେଇଥିଲା।

Dharitri – Odisha’s No.1 Odia Daily

Share