Categories: ଜାତୀୟ

ଖୁର୍ସିଦଙ୍କ ପୁସ୍ତକ ନିଷେଧ ଆବେଦନ ଖାରଜ

ନୂଆଦିଲ୍ଲୀ, ୨୬।୧୧: ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ନୂତନ ପୁସ୍ତକକୁ ନିଷେଧ କରିବା ଲାଗି ହୋଇଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଭାବାବେଗକୁ ଆଘାତ ଲାଗୁଥିଲେ ଉକ୍ତ ପୁସ୍ତକ ନ ପଢ଼ି ଅଲଗା କିଛି ପଢ଼ିବା ଲାଗି ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ନିକଟରେ ପ୍ରକାଶିତ ଖୁର୍ସିଦଙ୍କ ପୁସ୍ତକ ‘ସନ୍‌ରାଇଜ୍‌ ଓଭର ଅଯୋଧ୍ୟା: ନେଶନହୁଡ୍‌ ଇନ୍‌ ଆଓ୍ବାର ଟାଇମ୍ସ’ରେ ହିନ୍ଦୁତ୍ୱକୁ ଜିହାଦୀ ଇସ୍‌ଲାମୀୟ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ଏବଂ ବୋକୋ ହାରାମ ସହ ତୁଳନା କରାଯାଇଛି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିବାବେଳେ ଭାବାବେଗକୁ ଆଘାତ ପହଞ୍ଚାଉଥିବା ଦର୍ଶାଇ ପୁସ୍ତକକୁ ନିଷେଧ କରିବା ଲାଗି ହାଇକୋର୍ଟରେ ଆବେଦନ କରାଯାଇଥିଲା। ବହି ନ କିଣିବା ଏବଂ ନ ପଢ଼ିବା ପାଇଁ ଲୋକମାନଙ୍କୁ କାହିଁକି କହୁନାହଁ ବୋଲି ଖଣ୍ଡପୀଠ ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ। ଏହି ପୁସ୍ତକରେ ଖରାପ ଲେଖା ହୋଇଛି, ଏହାକୁ ନ ପଢ଼ିବା ଲାଗି ଲୋକମାନଙ୍କୁ ବୁଝାଅ। ଯଦି ଭାବାବେଗକୁ ଆଘାତ ଲାଗୁଛି, ସେମାନେ ଅନ୍ୟ କିଛି ପଢ଼ିପାରିବେ ବୋଲି ହାଇକୋର୍ଟ କହିଛନ୍ତି।
ମତବ୍ୟକ୍ତ ଓ ଅଭିବ୍ୟକ୍ତି ସ୍ବାଧୀନତା ନିରଙ୍କୁଶ ନୁହେଁ। ଅନ୍ୟର ଭାବନା ଉପରେ ହସ୍ତକ୍ଷେପ କରିବା ଅଧିକାର କାହାର ନାହିଁ। ଏହା ଅନୁଚ୍ଛେଦ ୧୯ର ଉଲ୍ଲଂଘନ ବୋଲି ଆବେଦନକାରୀ ହାଇକୋର୍ଟଙ୍କୁ ଜଣାଇଥିଲେ। ଅଦାଲତ କହିଥିଲେ, ସମ୍ପୂର୍ଣ୍ଣ ପୁସ୍ତକ ନୁହେଁ, ଏଥିରେ ଥିବା କିଛି ଅଂଶକୁ ନେଇ ବିବାଦ ଦେଖାଦେଇଛି। ପ୍ରକାଶକଙ୍କ ଲାଇସେନ୍ସ ରଦ୍ଦ ଲାଗି ଆବେଦନ କରିଥିଲେ ଅଲଗା ହୋଇଥାନ୍ତା ବୋଲି ଖଣ୍ଡପୀଠ କହିଥିଲେ।

Share