ଖୁଣ୍ଟୁଣୀ: ବଢୁଛି ଦେଶୀମଦ କାରବାର

ଖୁଣ୍ଟୁଣୀ, ୧୯ା୧୧ (ସଚ୍ଚିଦାନନ୍ଦ ପଣ୍ଡା)ଖୁଣ୍ଟୁଣୀ ଥାନା ଅଞ୍ଚଳରେ ବ୍ୟାପକ ଦେଶୀମଦ କାରବାର ବୃଦ୍ଧି ପାଇଛି। ଖଣ୍ଡୁଆଳି ଓ ରାଧାକୃଷ୍ଣପୁର ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ ହେଉଛି। ହେଲେ ଏ ଦିଗରେ ପୋଲିସ ପକ୍ଷରୁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ମଦ ବ୍ୟବସାୟୀମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏହି କାରବାର ଚଳାଇଆସୁଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଜଙ୍ଗଲରେ ଚଢାଉ କରାଯାଇ ମଦ ପ୍ରସ୍ତୁତ ବନ୍ଦ କରିବା ସହ ମଦ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଖଣ୍ଡୁଆଳି, ଡାଳୁଆ, ରାଧାକୃଷ୍ଣପୁର ଗ୍ରାମର ବହୁ ବୁଦ୍ଧିଜୀବୀ ଓ ନାଗରିକ ଦାବି କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଓ ଶନିବାର ଖଣ୍ଡୁଆଳି, ରାଧାକୃଷ୍ଣପୁର ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲରେ ଖୁଣ୍ଟୁଣୀ ପୋଲିସ, କଟକ ଅବକାରୀ ସ୍କ୍ବାର୍ଡ ଓ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୯୧୦ ଲିଟର ଦେଶୀମଦ ଓ ୯୬୬୦ ଲିଟର ପୋଚ ଜବତ କରାଯାଇଛି। ଜବତ ମଦ ଓ ପୋଚର ଆନୁମାନିକ ମୂଲ୍ୟ ସାଢେ ୪ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ଚଢ଼ାଉବେଳେ ମଦ ମାଫିଆମାନେ ଖସି ପଳାଇଛନ୍ତି।
ଗତ ଅଗଷ୍ଟ ୨୮ ତାରିଖରେ ଉକ୍ତ ଜଙ୍ଗଲରେ ପୋଲିସ, ଅବକାରୀ ଓ ଜଙ୍ଗଲ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଏହି ସମୟରେ ମଦ ମାଫିଆମାନେ ଅବକାରୀ ବିଭାଗର ୪ଟି ଗାଡି ଭଙ୍ଗାରୁଜା କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିବାରୁ ଅବକାରୀ ବିଭାଗର ଜଣେ କର୍ମଚାରୀ ଆହତ ହୋଇଥିଲେ। ଏ ନେଇ ଡାଳୁଆ ଓ ଖଣ୍ଡୁଆଳି ଗ୍ରାମର ୨୮ ଜଣଙ୍କ ନାମରେ ଖୁଣ୍ଟୁଣୀ ଥାନାରେ ମାମଲା ରୁଜୁ ହୋଇଥିଲା। ଏହାପରଠାରୁ ଉକ୍ତ ଅଞ୍ଚଳରେ ଆଉ ଚଢାଉ କରାଯାଇ ନ ଥିଲା। ଏହାର ସୁଯୋଗ ନେଇ ମଦ ମାଫିଆମାନେ ଏହି କାରବାର ଚଳାଇ ଆସୁଥିଲେ। ଆଗାମୀ ଦିନରେ ଏହି କାରବାର ଉପରେ ରୋକ୍‌ ଲଗାଇବା ପାଇଁ ଆଠଗଡ଼ ଅବକାରୀ ଉପ ଅଧୀକ୍ଷକ ପ୍ରମୋଦ କୁମାର ପଣ୍ଡା ଓ ଖୁଣ୍ଟୁଣୀ ଥାନାଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ଗତ ସପ୍ତାହରେ ଏକ ଟିମ୍‌ ଗଠନ କରିଛନ୍ତି। ଅବକାରୀ ସ୍କ୍ବାର୍ଡ ଅଧିକାରୀଙ୍କ ସହଯୋଗରେ ଏହି ଚଢ଼ାଉ ଆରମ୍ଭ ହୋଇଥିବା ଥାନାଧିକାରୀ ଖୁଣ୍ଟିଆ କହିଛନ୍ତି। ଅପରପକ୍ଷରେ ଅବକାରୀ ଉପ ଅଧୀକ୍ଷକ ପଣ୍ଡା କହିଛନ୍ତି, ଆଗାମୀ ଦିନରେ ଏଭଳି ଭଳି ଚଢ଼ାଉ ଜାରି ରହିବ।