ସୁଧୁରୁନି ଖୋର୍ଦ୍ଧା ସହର ଟ୍ରାଫିକ୍‌ ସମସ୍ୟା

ଖୋର୍ଦ୍ଧା ଅଫିସ,୩: ଖୋର୍ଦ୍ଧା ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଶେଷକରି ଚଣ୍ଡିଚୁଆଠାରୁ ମୁକୁନ୍ଦପ୍ରସାଦ, ଡାକ୍ତର୍ସ ଲେନ୍‌ଠାରୁ ଗୁରୁଜଙ୍ଗ ରାସ୍ତା, ଥାନାଛକ (ଟ୍ରାଫିକ ଛକ) ଠାରୁ ନୂଆ ବସ୍‌ଷ୍ଟାଣ୍ଡ, ବସ୍‌ଷ୍ଟାଣ୍ଡଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ, ବାଟମଙ୍ଗଳା ଠାରୁ ଚଣ୍ଡିଚୁଆ ଛକ ଭାୟା ଟିଏଲସି ରୋଡ ଟ୍ରାଫିକ ସମସ୍ୟା ଅଣାୟତ୍ତ ହୋଇପଡ଼ିିଛି। ବେଆଇନ ପାର୍କିଂ, ସଙ୍କୁଚିତ ରାସ୍ତା ଯୋଗୁ ଟ୍ରାଫିକ ସମସ୍ୟା ଉପୁଜୁଛି। ପେଟ୍ରୋଲ ପମ୍ପଠାରୁ ମାରୱାଡ ପଟ୍ଟି ରାସ୍ତା ସଙ୍କୁଚିତ ହୋଇପଡ଼ିଛି। ଏହି ରାସ୍ତା ଦେଇ ଖୋର୍ଦ୍ଧା-ନୟାଗଡ ୫୭ ନମ୍ବର ଜାତୀୟ ରାଜପଥ ଯାଇଛି। ତେଣୁ ସବୁ ସମୟରେ ଏହି ରାସ୍ତାରେ ଭିଡ଼ ଜମୁଛି। ବସ୍‌ଗୁଡ଼ିକ ଖୋର୍ଦ୍ଧା କ୍ଲବ, ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଅଟକି ରହୁଛି। ଅନ୍ୟପଟେ ମୁଖ୍ୟ ଡାକଘର ନିକଟ ଗଳି, ଗୁରୁଜଙ୍ଗଠାରୁ କେରଙ୍ଗ, ହଳଦିଆ, ଟାଙ୍ଗିଆପଡା ପ୍ରଭୃତି ଗ୍ରାମକୁ ଯିବା ଲାଗି ଏକ ମାତ୍ର ରାସ୍ତା ରହିଛି। ଫଳରେ ଏହି ସ୍ଥାନରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଭିଡ ସମୟରେ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଆସିଲେ ଫସିରହିବାକୁ ବାଧ୍ୟ ହେଉଛି। ଗୁରୁଜଙ୍ଗ ଗ୍ରାମର ୪ଟି ୱାର୍ଡରେ ପ୍ରାୟ ୧୫ହଜାର ଲୋକ ରହୁଛନ୍ତି। ଏକମାତ୍ର ରାସ୍ତାରେ ସେମାନଙ୍କୁ ଖୋର୍ଦ୍ଧା ଆସିବାକୁ ପଡ଼େ। ଏହି ରାସ୍ତାରେ ଗାଡ଼ିମୋଟର ଜାମ୍‌ ହୋଇଗଲେ ଘଣ୍ଟା ଘଣ୍ଟା ଧରି ଅଟକିବାକୁ ପଡୁଛି। ମାରୱାଡି ପଟ୍ଟି, ଟ୍ରାଫିକ ଛକ- ପୁରୁଣା ମେଡିକାଲ ରୋଡକୁ ଶତାଧିକ ଉଠାଦୋକାନ ଘେରି ରହିଛି। ଉଠାଦୋକାନ ହଟାଇବା ଲାଗି ବାରମ୍ବାର ଦାବି ସତ୍ତ୍ୱେ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ।
ଟ୍ରାଫିକ ଛକରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଉଠାଦୋକାନ ଓ ବେଆଇନ ପାର୍କିଂ ହିଁ ଟ୍ରାଫିକ ସମସ୍ୟାର ଅନ୍ୟତମ କାରଣ। ୨୨ ୱାର୍ଡ ବିଶିଷ୍ଟ ଖୋର୍ଦ୍ଧା ପୌରପରିଷଦରେ ଜନସଂଖ୍ୟା ୪୬ହଜାରରୁ ଊର୍ଦ୍ଧ୍ୱ ଟପିଲାଣି। ଦିନକୁ ଦିନ ସହରର ଜନସଂଖ୍ୟା ବଢ଼ିବା ସହ ଯାନବାହନ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ମାତ୍ର ୬ଜଣ ଟ୍ରାଫିକ କନଷ୍ଟେବଳ, ୧୧ ଜଣ ହୋମଗାର୍ଡଙ୍କ ଭରସାରେ ଟ୍ରାଫିକ ନିୟନ୍ତ୍ରଣ ହେଉଛି। ଟ୍ରାଫିକ ଛକ ଓ ନୂଆ ବସଷ୍ଟାଣ୍ଡରେ ଟ୍ରାଫିକ ପୋଷ୍ଟ ନାହିଁ। ଟ୍ରାଫିକ ପୋଲିସ ଖରା, ବର୍ଷା ସହି ଡ୍ୟୁଟି କରୁଛନ୍ତି। ପୁରୁଣା ଟ୍ରାଫିକ ପୋଷ୍ଟ ଭାଙ୍ଗିଗଲାଣି। ଦୀପ ତଳ ଅନ୍ଧାର ଭଳି ପ୍ରଶାସନିକ ଅବହେଳା ଟ୍ରାଫିକ ସମସ୍ୟାକୁ ଦ୍ୱିଗୁଣିତ କରୁଛି। ସେହିପରି ୧୬ ନମ୍ବର ଜାତୀୟ ରାଜପଥରୁ ବରୁଣେଇ ପୀଠକୁ ସଂଯୋଗ କରୁଥିବା ରାସ୍ତା ସଙ୍କୁଚିତ ହେବାରେ ଲାଗିଛି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଏ ନେଇ ଏସ୍‌ପି ରାଜ କିଶୋର ଦୋରା କହିଛନ୍ତି, ଖୋର୍ଦ୍ଧା ସହରର ଟ୍ରାଫିକ ସମସ୍ୟା ସୁଧାରିବା ଲାଗି ଗୁୁରୁତ୍ୱ ଦିଆଯାଉଛି। ସହରର ଆଉ ୬ଟି ସ୍ଥାନରେ ଟ୍ରାଫିକ ପୋଷ୍ଟ ନିର୍ମାଣର ଯୋଜନା ରହିଛି। ସହରରେ ଟ୍ରାଫିକ ସମସ୍ୟା ଦୂର ଲାଗି ଜିଲା ପ୍ରଶାସନ ସହ ଆଲୋଚନା କରାଯିବ।