ନୂଆ ମୁହଁକୁ ଭରସା କରିପାରେ ଖୋର୍ଦ୍ଧା ବିଜେଡି

ଖୋର୍ଦ୍ଧା ଅଫିସ,୫ା୩: ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ପଞ୍ଚାୟତ ନିର୍ବାଚନର ସଫଳତା ପରେ ଶାସକ ଦଳ ବିଜେଡି ପୌର ନିର୍ବାଚନରେ କ୍ଲିନ ସୁଇପ ଯୋଜନାରେ ରହିଛି। ଅନ୍ୟପଟେ ବିରୋଧୀ ଭାଜପା ଓ କଂଗ୍ରେସ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ବାନ୍ଧିଛନ୍ତି। ଶୁକ୍ରବାର ସୁଦ୍ଧା କୌଣସି ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ। ଖୋର୍ଦ୍ଧା ପୌର ନିର୍ବାଚନରେ ଅଧ୍ୟକ୍ଷା ପଦ ପାଇଁ ବିଜେଡିର ୧୫ଜଣ ଦାବିଦାର ରହିଛନ୍ତି। ତେବେ ଦଳ ନୂଆ ମୁହଁ ଖୋଜୁଛି। ଅନ୍ୟପଟେ ବିରୋଧୀଙ୍କୁ ଉପଯୁକ୍ତ ପ୍ରାର୍ଥୀ ମିଳୁ ନ ଥିବା ଶୁଣିବାକୁ ମିଳୁଛି। ଶନିବାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ଏହି ଅବସରରେ ବିଜେଡି ଜିଲାୱାରୀ ପ୍ରାର୍ଥୀ ତାଲିକା ଘୋଷଣା କରିବା ସମ୍ଭାବନା ରହିଛି। ଅନ୍ୟପଟେ ଆଶାୟୀ ପ୍ରାର୍ଥୀ ନିଜ ୱାର୍ଡରେ ପୋଷ୍ଟର ଓ ବ୍ୟାନର ମାରି କାର୍ଯ୍ୟ ଆରମ୍ଭ କରିଦେଲେଣି। ଚଳିତ ପୌର ନିର୍ବାଚନରେ ପୌରାଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏଥିପାଇଁ ସିଧାସଳଖ ଭୋଟ ଗ୍ରହଣ କରାଯିବ। ବହୁ ପୁରୁଣା କର୍ମୀ ନିଜ ପାଇଁ ଓ ସମ୍ପର୍କୀୟଙ୍କ ଲାଗି ଲବି ଚଳାଇଛନ୍ତି। ଦଳୀୟ ବିଧାୟକ, ସାଙ୍ଗଠନିକ କର୍ମକର୍ତ୍ତା, ପର୍ଯ୍ୟବେକ୍ଷକଙ୍କୁ ମନାଇବା ପାଇଁ ଚାଲିଛି ଛକାପଞ୍ଝା। ଏଥର ବିଜେଡି ପକ୍ଷରୁ ଦଳୀୟ ବିଧାୟକ, ଏମ୍‌ପି ଏପରି କି ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଥିବା ବ୍ୟକ୍ତିଙ୍କ ପରିବାରରୁ କାହାରିକୁ ଟିକେଟ ଦିଆଯିବ ନାହିଁ ବୋଲି ହୁଇପ ଜାରି ହୋଇଥିବା ଶୁଣିବାକୁ ମିଳୁଛି। ସ୍ବଚ୍ଛ ଓ ନିର୍ବିବାଦୀୟ ବ୍ୟକ୍ତିତ୍ୱ ସମ୍ପନ୍ନ ମହିଳାଙ୍କୁ ପୌରାଧ୍ୟକ୍ଷ ପଦରେ ବସାଇବା ପାଇଁ ଲକ୍ଷ୍ୟ ରଖିଛି। ତେଣୁ ବିଜେଡି ନୂଆ ମୁହଁ ଖୋଜୁଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି। ତେବେ କିଏ ନୂଆ ମୁହଁ ତାହା ଏଯାଏ ସ୍ପଷ୍ଟ ହୋଇପାରିନାହିଁ। ଅନ୍ୟପଟେ ଭାଜପା ପକ୍ଷରୁ ପୌର ଅଧ୍ୟକ୍ଷା ଆସନରେ ବସାଇବା ପାଇଁ ଜଣେ ପୂର୍ବତନ କାଉନସିଲରଙ୍କ ନାମ କୋର୍‌ କମିଟି ବୈଠକରେ ପ୍ରସ୍ତାବ ଦିଆଯାଇଛି ବୋଲି କମିଟି ସଦସ୍ୟ ଦେବବ୍ରତ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରସ୍ତୁତି ଚାଲିଛି। ଶନିବାର ତାଲିକା ପ୍ରକାଶ କରାଯିବ ବୋଲି ନଗର କଂଗ୍ରେସ ସଭାପତି ରଣଜିତ ମହାପାତ୍ର କହିଛନ୍ତି। ପୌରାଧ୍ୟକ୍ଷା ପଦ ପାଇଁ କୌଣସି ଦଳୀୟ କର୍ମୀ ପ୍ରାର୍ଥତ୍ପତ୍ର କିଣି ନ ଥିବା ବେଳେ ସାମାଜିକ କର୍ମୀ ମମତା ପୃଷ୍ଟି ସ୍ବାଧୀନ ପ୍ରାର୍ଥୀ ଭାବେ ଫର୍ମ କିଣିଥିବା ଜଣାପଡ଼ିଛି। ସେ ବିଜେଡିରୁ ଟିକେଟ ପାଇଁ ଆଶା ବାନ୍ଧିଛନ୍ତି। ସେ ସାମାଜିକ କର୍ମୀ ନରେନ୍ଦ୍ର ପୃଷ୍ଟିଙ୍କ ସହଧର୍ମିଣୀ। ଅନ୍ୟପକ୍ଷରେ ୨୦୧୩ରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କ ସହଧର୍ମିଣୀ ସଂଯୁକ୍ତା ସାହୁ ପୌରାଧ୍ୟକ୍ଷା ହୋଇଥିଲେ। ତେବେ ଚଳିତ ପୌର ନିର୍ବାଚନରେ ସେ ଦୌଡରେ ନ ଥିବା ସ୍ପଷ୍ଟ କରିଛନ୍ତି। ସେହିପରି ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର କହିଛନ୍ତି, ତାଲିକା ପ୍ରସ୍ତୁତ କରାଯାଇଛି। ଦଳ ଯାହା ନାମରେ ମୋହର ମାରିବ, ସେ ହିଁ ନିର୍ବାଚନ ଲଢିବେ। ପୌର ନିର୍ବାଚନ ଦୌଡ଼ରେ ସେ ନ ଥିବା ସ୍ପଷ୍ଟ କରିଛନ୍ତି।