ଦିଗପହଣ୍ଡି, ୨୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଖଲାସି ସଂଘର ଏକ ପରିବର୍ଦ୍ଧିତ ଆଲୋଚନା ସଭା ରବିବାର ଦିନ ନିମପଲ୍ଲୀ ଗ୍ରାମ ନିକଟସ୍ଥ ରିଝର ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର କାର୍ଯ୍ୟକାରୀ ସଭାପତି ଯୁଧିଷ୍ଠିର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଛି।
ସଭାର ପ୍ରାରମ୍ଭରେ ପରଲୋକଗତ ସଂଘର କାର୍ଯ୍ୟକର୍ତ୍ତା ଓ ସଭ୍ୟମାନଙ୍କ ସ୍ମୃତିଚାରଣ କରାଯିବା ସହ ସେମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ସଂଘକୁ ଅଧିକ ସୁଦୃଢ଼ ଓ କ୍ରିୟାଶୀଳ କରିବା ଦିଗରେ ବିସ୍ତୃତ ଆଲୋଚନା ହୋଇଥିଲା। କେନ୍ଦ୍ର ସରକାରଙ୍କ ଶ୍ରମ ବିଭାଗ ପକ୍ଷରୁ ପ୍ରଣୀତ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ମାଧ୍ୟମରେ ଆବଶ୍ୟକ ସରକାରୀ ସହାୟତା ପାଇବା ପାଇଁ ସଂଘର ସଭ୍ୟମାନେ ଆବେଦନ କରିବାକୁ ସଭାରେ ନିଷ୍ପତ୍ତି ନିଆଯାଇଥିଲା। ଏଥିସହିତ ସଂଘର ବରିଷ୍ଠ ସଦସ୍ୟ ଗାଣ୍ଡୁ ସେଠୀ ଶାରୀରିକ ଅସୁସ୍ଥତା କାରଣରୁ କାର୍ଯ୍ୟରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଅନୁରୋଧ କରିବାରୁ ଆଲୋଚନା କ୍ରମେ ତାଙ୍କ ପ୍ରସ୍ତାବକୁ ଗୃହୀତ କରାଯାଇଥିଲା।
ସଭା ଶେଷରେ ସର୍ବସମ୍ମତିକ୍ରମେ ସଂଘର ନୂତନ କର୍ମକର୍ତ୍ତାମାନଙ୍କୁ ଚୟନ କରାଯାଇଥିଲା। ଆଇନଜୀବୀ ଅଶେଷ ନାଥଙ୍କୁ ସଂଘର ନୂତନ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ଯୁଧିଷ୍ଠିର ଦାସଙ୍କୁ କାର୍ଯ୍ୟକାରୀ ସଭାପତି, ଉଜ୍ଜ୍ୱଳ ସେଠୀଙ୍କୁ ଉପସଭାପତି, ପାଣ୍ଡବ ସେଠୀଙ୍କୁ ସମ୍ପାଦକ, ସନ୍ତୋଷ ସେଠୀଙ୍କୁ ସହ-ସମ୍ପାଦକ ଏବଂ ଶୁକଦେବ ବେହେରାଙ୍କୁ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି।
ଏହି ବୈଠକରେ ସୁପରଭାଇଜର ଲକ୍ଷ୍ମଣ ମହାନ୍ତିଙ୍କ ସମେତ ରୋହିତ ସେଠୀ, ରଞ୍ଜନ ସେଠୀ, ଆନନ୍ଦ ସେଠୀ, କାଳିଆ ସେଠୀ, ପିଣ୍ଟୁ ଦାସ, କାହ୍ନୁ ଚରଣ ସେଠୀ ଏବଂ ଭଗବାନ ସେଠୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।