ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ ହାଇସ୍କୁଲ ମିନିଷ୍ଟାଡିୟମରେ ଚାଲିଥିବା ଦ୍ୱି-ଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି।

ଖେମୁଣ୍ଡି ସ୍ପୋର୍ଟିଂ କ୍ଳବ ସଭାପତି କୁରେଶୁ ମହାରଣାଙ୍କ ସଂଯୋଜନାରେ ଆୟୋଜିତ ଉଦ୍‌ଯାପନୀ ସଭାରେ ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, କ୍ରୀଡାବିଦ୍‌ ପରେଶ ଚନ୍ଦ୍ର ମୁଖାର୍ଜୀ, ପୂର୍ବତନ କାଉନସିଲର ଅଳକ ନାଥ ମିଶ୍ର, ଆଇନଜୀବୀ ହରପ୍ରସାଦ ରଥ, ସାମାଜିକ କର୍ମୀ ଦୁର୍ଗା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ରବିବାର ପ୍ରଥମ ସେମିଫାଇନାଲ ମ୍ୟାଚରେ ବ୍ରହ୍ମପୁରର ପତିତପାବନ ଫୁଟବଲ କ୍ଳବ ୟୁନାଇଟେଡ଼ କ୍ଳବ ବ୍ରହ୍ମପୁରକୁ ପରାଜିତ କରି ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଗଜପତି ଜିଲା ଚନ୍ଦ୍ରଗିରି ତିବ୍ବତିଆନ ପୋଟଲା ଫୁଟବଲ କ୍ଳବକୁ ପରାଜିତ କରି ବ୍ରହ୍ମପୁର ନଟରାଜ ଫୁଟବଲ କ୍ଲବ ବିଜୟୀ ହୋଇଥିଲା।

ଅପରାହ୍ନରେ ଅନୁଷ୍ଠିତ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚରେ ବ୍ରହ୍ମପୁରର ନଟରାଜ ଫୁଟବଲ କ୍ଳବ ବିପକ୍ଷ ବ୍ରହ୍ମପୁରର ପତିତ ପାବନ ଫୁଟବଲ କ୍ଳବକୁ ପରାଜିତ କରି ଚାମ୍ପିୟନ ହୋଇଥିଲା। ବ୍ରହ୍ମପୁରର ବିଶିଷ୍ଟ ଫୁଟବଲ ଖେଳାଳୀ ରମେଶ ସାହୁ ଓ ଜିତୁ ପାତ୍ର ସମସ୍ତ ମ୍ୟାଚରେ ରେଫରି ଭାବେ ମ୍ୟାଚ୍‌ ପରିଚାଳନା କରିଥିଲେ।

ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅତିଥିବୃନ୍ଦ ଚମ୍ପିୟନ ଟିମ୍‌କୁ ଟ୍ରଫି ସହିତ ୭ହଜାର ୭୭୭ ଟଙ୍କା ଆର୍ଥିକ ପୁରସ୍କାର ଏବଂ ରନ ର୍ସଅପ ଟିମକୁ ଟ୍ରଫି ସହିତ ୬ହଜାର ୬୬୬ ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ଆୟୋଜକ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବର ସମ୍ପାଦକ ସଞ୍ଜୟ ଗୌଡ଼, କାର୍ଯ୍ୟକର୍ତ୍ତା ସିଲୁ ପାଣିଗ୍ରାହୀ, ବବୁଲ ମିଶ୍ର, ଶୁଭାଶିଷ ବିଷୋୟୀ, ରୋସନ ଥାପ୍ପା, ବୈକୁଣ୍ଠ
ସ୍ବାଇଁ, ରୋସନ ମହାରଣା, ଦୀପକ ସ୍ବାଇଁ, ଆଲୋକ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।

ଶନିବାର ପବିତ୍ର ସ୍ବାଧୀନତା ଦିବସ ଅବସରରେ ଶୁଭାରମ୍ଭ ହୋଇଥିବା ଫୁଟବଲ ଟୁର୍ନାମେଣ୍ଟକୁ ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ସହ ମିନିଷ୍ଟାଡିୟମର ବହୁବିଧ ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, କାଉନସିଲର ଦୀପକ ମିଶ୍ର, ପୂର୍ବତନ କାଉନସିଲର ଅଳକ ନାଥ ମିଶ୍ର, ଆଇନଜୀବୀ ହରପ୍ରସାଦ ରଥ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ।

ପ୍ରଥମ ଉଦଘାଟନୀ ମ୍ୟାଚ୍‌ରେ ବ୍ରହ୍ମପୁରର ପତିତପାବନ ଫୁଟବଲ କ୍ଳବ ପ୍ରତିପକ୍ଷ ଖେମୁଣ୍ଡି ସ୍ପୋର୍ଟିଂ କ୍ଳବ ମଧ୍ୟରେ ମ୍ୟାଚ ଅମିମାଂସିତ ରହିବାରୁ ଲଗାତର ୪ଟି ପେନାଲ୍ଟି ଗୋଲ ସ୍କୋର କରି ପତିତପାବନ ଟିମ ବିଜୟୀ ହୋଇଥିଲା।

ଭଞ୍ଜନଗର ଫୁଟବଲ କ୍ଳବ ସହ ବିପକ୍ଷ ବ୍ରହ୍ମପୁର ୟୁନାଇଟେଡ ଫୁଟବଲ କ୍ଳବ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ ନିର୍ଦ୍ଧାରିତ ସମୟ ସୁଦ୍ଧା ଅମିମାଂସିତ ରହିବାରୁ ବ୍ରହ୍ମପୁର ୟୁନାଇଟେଡ଼ ଟିମ୍‌ ୨ଟି ପେନାଲ୍ଟି ଗୋଲ କରି ପରବର୍ତ୍ତୀ ମ୍ୟାଚକୁ ଉନ୍ନୀତ ହୋଇଥିଲେ।

ତୃତୀୟ ମ୍ୟାଚ୍‌ ବ୍ରହ୍ମପୁରର ନଟରାଜ ଫୁଟବଲ କ୍ଳବ ପ୍ରତିପକ୍ଷ ପଦ୍ମନାଭପୁର ଫୁଟବଲ କ୍ଲବ ମଧ୍ୟରେ ହୋଇଥିଲା। ସେଥିରେ ନଟରାଜ ଟିମ୍‌ ପଦ୍ମନାଭପୁର ଟିମ୍‌ ବିପକ୍ଷରେ ୨ ଗୋଲ କରି ବିଜୟୀ ହୋଇଥିଲେ। ଚତୁର୍ଥ ମ୍ୟାଚ୍‌ ଗଜପତି ଜିଲା ଚନ୍ଦ୍ରଗିରି ସ୍ଥିତ ତିବତିଆନ ପୋଟଲା ଫୁଟବଲ କ୍ଳବ ସହ ଗୋଳାବନ୍ଧ ଗ୍ରାମ ଲିଓ ଫୁଟବଲ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପୋଟଲା ଫୁଟବଲ ଟିମ ୨ଟି ଗୋଲ ସ୍କୋର କରି ପରବର୍ତ୍ତୀ ମ୍ୟାଚକୁ ଉନ୍ନୀତ ହୋଇଥିଲା।

Share