Categories: ଖେଳ

ଖେଲୋ ଇଣ୍ଡିଆ ଜୁନିୟର ମହିଳା ସନ୍ତରଣ ଉଦ୍‌ଯାପିତ

ଭୁବନେଶ୍ୱର, ୨୧।୧୧ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍‌ରେ ୨ ଦିନିଆ ଖେଲୋ ଇଣ୍ଡିଆ ଜୁନିୟର ମହିଳା ସନ୍ତରଣ ସିରିଜ ରାଉଣ୍ଡ-୨(ଜୋନ-୪) ରବିବାର ଶେଷ ହୋଇଛି। ଦ୍ୱିତୀୟ ଦିବସରେ ମୋଟ ୧୪ଟି ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା। ଅଲିମ୍ପିଆନ ଅନୁରାଧା ବିଶ୍ୱାଳ, ଶ୍ରାବଣୀ ନନ୍ଦ, ସ୍କୁଲ ଏବଂ ଗଣଶିକ୍ଷା ବିଭାଗର କମିଶନର ଏବଂ ସଚିବ ଅଶ୍ୱଥି ଏସ୍‌. ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ସନ୍ତରଣ ଇଭେଣ୍ଟର ଶ୍ରେଷ୍ଠ ୬ ଜଣ ଲେଖାଏ ପ୍ରତିଯୋଗୀଙ୍କୁ ଆର୍ଥିକ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ଆଦି ୫ଟି ରାଜ୍ୟର ୬୪ ମହିଳା ସନ୍ତରଣକାରୀ ଅଂଶଗ୍ରହଣ କରିଥିଲେ। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ), ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ, ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ଏବଂ ଓଡ଼ିଶା ରାଜ୍ୟ ସୁଇମିଂ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଅନ୍ତିମ ଦିବସରେ ଅନୁଷ୍ଠିତ ପ୍ରତିଯୋଗିତା ଗୁଡ଼ିକ ମଧ୍ୟରେ ୧୮ ବର୍ଷରୁ କମ୍‌ ୪୦୦ ମିଟର ବାଳିକା ବର୍ଗରେ ଓଡ଼ିଶାର ଭଦ୍ରା ଶତପଥୀ, ୨୦୦ ମିଟର ଫ୍ଲାଏ ଗଲର୍‌ସରେ ଅଲିଭା ସାମଲ, ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ବାଳିକାରେ ଆକାଂକ୍ଷା ନାୟକ, ୫୦ କିକ୍‌-୫୦ ପୁଲ୍‌ ବ୍ୟାକ୍‌ ବାଳିକା ଇଭେଣ୍ଟରେ ଭଦ୍ରା ଶତପଥୀ, ୧୫ ବର୍ଷରୁ କମ୍‌ ୧୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ରେ ମନ୍ନତା ମିଶ୍ର ପ୍ରମୁଖ ପ୍ରଥମସ୍ଥାନ ଅଧିକାର କରିଛନ୍ତି।

Share