ବରଗଡ଼,୫।୬(ପ୍ରେମାନନ୍ଦ ଖମାରୀ)- ଗତ ଖରିଫ ଋତୁରେ ଧାନ ବିକ୍ରି ପଞ୍ଜୀକରଣରୁ ବାଦ୍ ପଡ଼ି ବରଗଡ଼ ଜିଲା ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଅନେକ ଚାଷୀ ଧାନ ବିକ୍ରି କରି ପାରି ନଥିଲେ । ଏଭଳିକି ଚିନ୍ତାରେ ପଡ଼ି ତାଲମେଣ୍ଡା ଗ୍ରାମର ଜଣେ ଚାଷୀ ରଞ୍ଜିତ ଭୋଇଙ୍କ ପୁଅ ରୋହିତ ଜିଲାପାଳଙ୍କ ଜନ ଶୁଣାଣିରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ ମଧ୍ୟ କରିଥିଲେ। ଆଉ ଶେଷରେ ଖରିଫ ଯାଇ ରବି ଋତୁରେ ଉଠିଲା ଚାଷୀଙ୍କ ଧାନ। ଅତାବିରା ବିଧାୟକ ନିହାର ମହାନନ୍ଦଙ୍କ ହସ୍ତକ୍ଷେପ ପରେ ମଣ୍ଡିରୁ ଧାନ ଉଠିଥିବାରୁ ଦୀର୍ଘ ଦିନ ଧରି ନିରାଶ ହୋଇ ପଡ଼ିଥିବା ଚାଷୀଙ୍କୁ ଆଶ୍ୱସ୍ତି ମିଳିଛି। ଖରିଫ ଋତୁ ସମୟରେ ବରଗଡ ଜିଲା ରେମଣ୍ଡା ପ୍ୟାକ୍ସର କିଛି ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇ ପାରିନଥିଲେ । ଫଳରେ ଧାନ ବିକ୍ରିରୁ ବଞ୍ଚିତ ହୋଇଥିଲେ। ଯାହାକୁ ନେଇ ଚାଷୀମାନେ ପ୍ରଶାସନ ବିରୋଧରେ ଯାଇ ଜିଲାପାଳଙ୍କ ଅଫିସ ସାମ୍ନାରେ ଆନ୍ଦୋଳନ କରି ନିରାଶ ହୋଇଥିଲେ ।