ଖରିଫ ଧାନ ଫସଲ ଖାଇଗଲେ ଚକଡ଼ା ପୋକ

ଡେଲାଙ୍ଗ,୧୧ା୧୧(ଡି.ଏନ୍‌.ଏ.): ଫସଲରେ ଚକଡା ପୋକ ଯୋଗୁ ଏବେ ଚାଷୀ ମୁଣ୍ଡରେ ଚଡ଼କ ପଡିଛି। ପରିବାର ପ୍ରତିପୋଷଣ କରିବା ପାଇଁ ଧାର କରଜ କରି ଧାନ ଫସଲ କରିଥିବା ଚାଷୀ ଏବେ ଚକଡା ପୋକ ଯୋଗୁ ହିନସ୍ତା ଭୋଗୁଛନ୍ତି। ଧାନ ଫସଲକୁ ରୋଗ ପୋକ ଦାଉରୁ ରକ୍ଷା କରିବାକୁ ଚାଷୀ କୀଟନାଶକ ବ୍ୟବହାର କରୁଥିଲେ ମଧ୍ୟ ପୋକ ଥମିବାର ନା ନେଉନି। କ୍ଷେତରେ ଧାନଗଛ ମୂଳ ଶଢିଯିବା ସହିତ ଅରାଏ ଅରାଏ ଚକଡା ଆକୃତିର ଧାନଗଛ ଜଳି ମରିଯାଉଛି।
ସୂଚନା ଅନୁଯାୟୀ, ଗୁଆଳିପଡା ପଞ୍ଚାୟତ ହୁମର ଗ୍ରାମରେ ଚକଡା ପୋକ ଖାଇ ଧାନ ଫସଲ ନଷ୍ଟ କରିଥିବା ଖବର ମିଳିଥିଲା। ସ୍ଥାନୀୟ ଚାଷୀମାନେ ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଗଣମାଧ୍ୟମର ଆଶ୍ରୟ ନେଇଛନ୍ତି। ଖବରପାଇ ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରି ଧାନକ୍ଷେତ ପରିଦର୍ଶନ କରିଥିଲେ। ହୁମର ମୌଜା ଓ ସନ୍ନିକଟ ପୋଷଲ ମୌଜାରେ ଅନେକ ଚାଷୀଙ୍କ ଧାନ କ୍ଷେତକୁ ଚକଡା ପୋକ ଅକ୍ତିଆର କରିଥିବା ଦେଖିବାକୁ ମିଳିଥିଲା। ହୁମର ମୌଜାର ଦୀପେଇ ଜେନା, କାଳନ୍ଦୀ ଚରଣ ଜେନା, ବାସନ୍ତୀ ଜେନା, ରଘୁଆ ବେହେରା, ଅଜୟ ପରିଡା, ମହିଆ ଜେନା, ଗୋବିନ୍ଦ ବେହେରା, ଭାଗବତ ନାୟକ ପ୍ରମୁଖଙ୍କ ଧାନଜମି ଚକଡା ପୋକ ଖାଇ ନଷ୍ଟ ହୋଇଯାଇଛି। ଖରିଫ ଧାନ ଫସଲ ପାଇଁ ଚାଷୀ କୃଷି ବିଭାଗଠାରୁ ପୂଜା, ନାଲି ମସୁରୀ ୨୫ କେଜିକୁ ୫୫୦ ଟଙ୍କା ଦେଇ କିଣିଥିଲେ। କିନ୍ତୁ ଏବେ ଚକଡା ଫସଲ ଉଜାଡ଼ି ଦେଇଥିବା ଚାଷୀ ସୁମନ୍ତ ପରିଡ଼ା କହିଛନ୍ତି। ପୋକ ଦାଉରୁ ଫସଲକୁ ରକ୍ଷା କରିବାକୁ ଔଷଧ ଦୋକାନୀଙ୍କଠାରୁ ପରାମର୍ଶ ନେଇ ନୁଭାନ, ୟୁନିମେଟ୍ରୋ ସହିତ ଆହୁରି ଅନ୍ୟ ମେଡିସିନ ପକାଇଥିଲେ। ହେଲେ ପୋକ ଦାଉରୁ ନିସ୍ତାର ମିଳି ନ ଥିଲା। ସାଧାରଣତଃ ରୋଗ, ପୋକ ଓ ସାର ବ୍ୟବହାର ପାଇଁ କୃଷି ପରାମର୍ଶଦାତା ଚାଷୀଙ୍କୁ ସଚେତନ କରିବା କଥା, ହେଲେ କୃଷି ପରାମର୍ଶଦାତା ଚାଷୀଙ୍କ ନିକଟରେ ପହଞ୍ଚି ପାରି ନ ଥିବାବେଳେ ଚାଷୀମାନେ ପରାମର୍ଶଦାତାଙ୍କୁ ଚିହ୍ନି ନ ଥିବା ଅଭିଯୋଗ କରିଛନ୍ତି। ଯଥାଶୀଘ୍ର କୃଷି ବିଭାଗ ଚାଷୀଙ୍କ ନିକଟରେ ପହଞ୍ଚି ସମସ୍ୟା ସମାଧାନ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଚାଷୀ ଦାବି କରିଛନ୍ତି।