Categories: ଜାତୀୟ

ରାଜ୍ୟ ସଭାରେ ଖାର୍ଗେ-ଗୋୟଲ ମୁହଁାମୁହିଁ

ନୂଆଦିଲ୍ଲୀ,୨୬ା୭(ପି.ଟି.): ମଣିପୁର ପ୍ରସଙ୍ଗରେ ଆଲୋଚନାକୁ ନେଇ ରାଜ୍ୟ ସଭାରେ ଗୃହର ନେତା ପୀୟୂଷ ଗୋୟଲ ଏବଂ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ମଧ୍ୟରେ ମଙ୍ଗଳବାର ଜୋର୍‌ଦାର ବାକ୍‌ଯୁଦ୍ଧ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ଉପସ୍ଥିତ ରହନ୍ତୁ ବୋଲି ଖାର୍ଗେ ଦାବି କରିଥିବାବେଳେ ବିରୋଧୀ ଦଳ ଶାସିତ ରାଜ୍ୟଗୁଡ଼ିକରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ମଧ୍ୟ ଗୃହରେ ଆଲୋଚନା ହେଉ ବୋଲି ଗୋୟଲ କହିଥିଲେ। ପ୍ରଶ୍ନୋତ୍ତର କାଳ ଆରମ୍ଭ ହେବାଠାରୁ ବିରୋଧୀମାନେ ଗୃହରେ ହଟ୍ଟଗୋଳ କରିବା ସହ ‘ମଣିପୁର, ମଣିପୁର’ ସ୍ଲୋଗାନ ଦେଇଥିଲେ। ରୁଲ୍‌ ୨୬୭ ଅନୁଯାୟୀ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ୫୦ରୁ ଊର୍ଦ୍ଧ୍ୱ ସଦସ୍ୟ ନୋଟିସ ଦେଇଥିବାବେଳେ ସରକାର ଏଥିପାଇଁ ପ୍ରସ୍ତୁତ ନାହାନ୍ତି ବୋଲି ଖାର୍ଗେ କହିଥିଲେ। ଏହାର ଜବାବରେ ରାଜସ୍ଥାନ, ଛତିଶଗଡ଼, ତେଲଙ୍ଗାନା ଓ ପଶ୍ଚିମବଙ୍ଗରେ ମହିଳା ନିର୍ଯାତନା ପ୍ରସଙ୍ଗରେ ଆଲୋଚନା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ପ୍ରସ୍ତୁତ ଅଛନ୍ତି ବୋଲି ଗୋୟଲ କହିଥିଲେ। ମୋଦି ବାହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ବିଷୟରେ କହୁଛନ୍ତି, ହେଲେ ଗୃହକୁ ଆସି ମଣିପୁର ସ୍ଥିତି ସମ୍ପର୍କରେ ଅବଗତ କରାଉ ନାହାନ୍ତି କାହିଁକି ବୋଲି ଖାର୍ଗେ ପ୍ରଶ୍ନ କରିଥିଲେ। ବିରୋଧୀ ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରି ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା ପାଇଁ ସୁଯୋଗ ଦେଉନାହାନ୍ତି ବୋଲି ଗୋୟଲ ଅଭିଯୋଗ କରିଥିଲେ।

Share