ଅମରପାଲି,୧୭ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ପ୍ରାୟ ତିନି ମାସ ଧରି ଅଚଳ ହୋଇ ପଡ଼ିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଶେଷରେ କାର୍ଯ୍ୟକ୍ଷମ ହୋଇଛି। ଦୈନିକ ‘ଧରିତ୍ରୀ’ ରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ତତ୍ପରତା ବଢ଼ିଥିଲା ଏବଂ ମରାମତି କାମ ସମ୍ପନ୍ନ ହେବା ପରେ ଗ୍ରାମରେ ପୁଣିଥରେ ସ୍ବାଭାବିକ ଭାବେ ଜଳଯୋଗାଣ ଆରମ୍ଭ ହୋଇଛି।
ସୂଚନା ଅନୁସାରେ, ଖଣ୍ଡହତା ଗ୍ରାମର ପାନୀୟ ଜଳ ପ୍ରକଳ୍ପ ଦୀର୍ଘ ତିନି ମାସ ଧରି ଅଚଳ ରହିଥିଲା। ଏହାର ପ୍ରଭାବରେ ଗ୍ରାମରେ ଗଭୀର ପାନୀୟ ଜଳ ସଙ୍କଟ ସୃଷ୍ଟି ହୋଇଥିଲା। ପାଣି ପାଇଁ ଗ୍ରାମବାସୀ ନାହିଁ ନ ଥିବା ହଇରାଣ ହେଉଥିବା ବେଳେ ତୁରନ୍ତ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଥିଲା।
ଏନେଇ ଗତ ୧୨ ତାରିଖରେ ‘୩ ମାସ ହେଲା ପାନୀୟ ଜଳ ଯୋଗାଣ ଅଚଳ, ଖଣ୍ଡହତାରେ ପାନୀୟ ଜଳ ସଙ୍କଟ’ ଶୀର୍ଷକରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ବିଭାଗ ପକ୍ଷରୁ ଏକ ଟିମ୍ ଆସି ପ୍ରକଳ୍ପର ମରାମତି କାମ କରିଥିଲେ। ପାଇପ୍ ଫାଟିଯିବାରୁ ଜଳ ଯୋଗାଣ ବନ୍ଦ ଥିବା ଜଣାପଡ଼ିଥିଲା। ମରାମତି ପରେ ବର୍ତ୍ତମାନ ପୁଣିଥରେ ଗ୍ରାମକୁ ପାଣି ଯୋଗାଣ ସ୍ବାଭାବିକ ହୋଇଛି।
ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ ଥିବା ଖଣ୍ଡହତା ଏକ ବଡ଼ ଗ୍ରାମ ହୋଇଥିବା ବେଳେ ପ୍ରାୟ ଚାରିଟି ୱାର୍ଡରେ ତିନି ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି। ଗ୍ରୀଷ୍ମ ପ୍ରବାହ ଯୋଗୁ ପୋଖରୀ, ନଈ ଓ ନାଳ ଶୁଖିଯାଇଥିବା ବେଳେ ଭୂତଳ ଜଳସ୍ତର ମଧ୍ୟ ନିମ୍ନଗାମୀ ହୋଇଛି। ଗ୍ରାମର ଅନେକ କୂପ ଓ ନଳକୂପ ଅଚଳ ହୋଇପଡ଼ିଥିବା ବେଳେ କେତେକ ନଳକୂପରୁ ଫ୍ଲୋରାଇଡ଼ଯୁକ୍ତ ପାଣି ବାହାରୁଥିବାରୁ ସେଗୁଡ଼ିକ ବ୍ୟବହାରଯୋଗ୍ୟ ନୁହେଁ।
ଭୂତଳ ଜଳ ଅଭାବ ଯୋଗୁ ଗ୍ରାମକୁ ପ୍ରାୟ ୪ କିଲୋମିଟର ଦୂରରେ ଥିବା ବଡ଼କିରାସିରା ନିକଟସ୍ଥ ସୁରୁବାଲି ଯୋରରୁ ପାଣି ଯୋଗାଣ କରାଯାଉଥିଲା। କିନ୍ତୁ ପ୍ରକଳ୍ପ ଅଚଳ ହୋଇପଡ଼ିବାରୁ ଗ୍ରାମବାସୀ ଦୀର୍ଘଦିନ ଧରି ଜଳକଷ୍ଟ ଭୋଗୁଥିଲେ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ମରାମତି କାମ ହୋଇ ନ ଥିଲା। ତେବେ ‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ବିଭାଗ ତତ୍କାଳ ପଦକ୍ଷେପ ନେଇ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିଛି। ଏହାପରେ ଗ୍ରାମବାସୀ ‘ଧରିତ୍ରୀ’କୁ କୃତଜ୍ଞତା ଜଣାଇଛନ୍ତି।