ଲଣ୍ଡନରେ ତ୍ରିରଙ୍ଗାର ଅପମାନ କଲେ ଖଲିସ୍ତାନୀ ସମର୍ଥକ

ନୂଆଦିଲ୍ଲୀ/ଲଣ୍ଡନ,୨୦ ।୩: ଭାରତରେ ‘ୱାରିସ ପଞ୍ଜାବ ଦେ’ର ମୁଖ୍ୟ ଅମୃତପାଲ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ବ୍ରିଟେନରେ ଭାରତୀୟ ହାଇକମିଶନଙ୍କ ଉପରେ ଆକ୍ରମଣ ହୋଇଥିବା ଖବର ଆସିଛି । କୁହାଯାଉଛି କି ଲଣ୍ଡନ ସ୍ଥିତ ହାଇକମିଶନଙ୍କୁ ଖଲିସ୍ତାନ ସମର୍ଥକମାନେ ଟାର୍ଗେଟ କରିଛନ୍ତି । ଏହି ସମୟରେ ତ୍ରିରଙ୍ଗାର ଅପମାନ କରାଯାଇଛି ଓ ପରିସର ମଧ୍ୟରେ ଭଙ୍ଗା ରୁଜା ବି କରାଯାଇଛି । ଘଟଣା ପରେ ଭାରତୀୟ ହାଇକମିଶନଙ୍କ ସୁରକ୍ଷାକୁ ବି ବଢାଇ ଦିଆଯାଇଛି । କୁହାଯାଉଛି କି ଘଟଣା ସମୟରେ ଇଣ୍ଡିଆନ ହାଇକମିଶନ ବାହାରେ ସୁରକ୍ଷା ବ୍ୟବସ୍ଥା କମ ଥିଲା, ଯାହା ଫଳରେ ଆକ୍ରମଣକାରୀ ସହଜରେ ଘଟଣା ଘଟାଇ ପାରିଲେ । ଆକ୍ରମଣକାରୀଙ୍କ ସଂଖ୍ୟା ପ୍ରାୟ ୮୦ ରହିଥିଲା ବୋଲି କୁହାଯାଉଛି ।
ଏହି ଘଟଣାରେ ଭାରତ ରାଗିଯିବା ସହ ବ୍ରିଟିଶ ହାଇ କମିଶନଙ୍କୁ ଏ ସମ୍ପର୍କରେ ଅବଗତ କରାଇଛି । କିନ୍ତୁ ହାଇ କମିଶନ ଆଲେକ୍ସ ଏଲିସ ଦିଲ୍ଲୀ ବାହାରେ ଥିବାରୁ ହାଇ କମିଶନଙ୍କ ଡେପୁଟି ହେଡ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ପହଞ୍ଚିଥିଲେ । ସରକାରୀ ସୂତ୍ରରୁ ପ୍ରକାଶ ଯେ, ଏହ ଘଟଣା ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବ୍ରିଟିଶ କୂଟନୀତିଜ୍ଞଙ୍କୁ ଏକ ଦୃଢ ବାର୍ତ୍ତା ଦେଇଛନ୍ତି । ବ୍ରିଟିଶ ହାଇ କମିଶନର ଆଲେକ୍ସ ଏଲିସ ଏହି ଘଟଣାକୁ ନିନ୍ଦା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏହା ଗ୍ରହଣୀୟ ନୁହେଁ ।

Share