ଓଟ୍ଟାଓ୍ବା, ୨୨।୪:କାନାଡାର ଖଲିସ୍ତାନୀ ଉଗ୍ରବାଦୀମାନେ ରବିବାର ରାତିରେ ଭାଙ୍କୋଭରସ୍ଥିତ ଖାଲ୍ସା ଦ୍ୱିଓ୍ବାନ୍ ସୋସାଇଟି (କେଡିଏସ୍) ଗୁରୁଦ୍ୱାରାରେ ଭଙ୍ଗାରୁଜା କରିବା ସହ ଏହାର କାନ୍ଥରେ ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିଛନ୍ତି। ଏନେଇ ଗୁରୁଦ୍ୱାରା ପ୍ରଶାସନ ପକ୍ଷରୁ ସୋମବାର ସୂଚନା ଦିଆଯିବା ସହ କିଛି ଫଟୋକୁ ଶେୟାର କରାଯାଇଛି। ସ୍ପ୍ରେ ପେଣ୍ଟକୁ ବ୍ୟବହାର କରାଯାଇ ଗୁରୁଦ୍ୱାରାର କାନ୍ଥରେ ବିଭିନ୍ନ ଆପତ୍ତିଜନକ ଶବ୍ଦ ସହ ଖଲିସ୍ତାନ ଲେଖା ହୋଇଥିବା ନେଇ ଦେଖିବାକୁ ମିଳିଛି। ଖଲିସ୍ତାନକୁ ସମର୍ଥନ କରୁଥିବା ଏକ ସଙ୍ଗଠନର କେତେଜଣ ସଦସ୍ୟ ଖଲିସ୍ତାନ ଜିନ୍ଦାବାଦ ଭଳି ବିଭାଜନକାରୀ ସ୍ଲୋଗାନ୍ ସହ ଗୁରୁଦ୍ୱାରାର ପବିତ୍ର କାନ୍ଥକୁ ବିକୃତ କରିଥିବା ନେଇ ଗୁରୁଦ୍ୱାରା ପ୍ରଶାସନ କହିଛି। କାନାଡାର ସ୍ଥାନୀୟ ମିଡିଆରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଭାଙ୍କୋଭର ପୋଲିସ ଘଟଣାକୁ ନେଇ ତଦନ୍ତ ଜାରି ରଖିଛି। ଗତ ସପ୍ତାହରେ କେଡିଏସ୍ ଗୁରୁଦ୍ୱାରାରେ ହୋଇଥିବା ସବୁଠାରୁ ବଡ଼ ବୈଶାଖୀ ପରେଡ୍ରେ ଭାଗ ନେବା ପାଇଁ ଖଲିସ୍ତାନୀ ସଙ୍ଗଠନଗୁଡ଼ିକ ଉପରେ କଟକଣା ଜାରି କରାଯାଇଥିଲା। ଏହାର ପ୍ରତିକ୍ରିୟା ସ୍ବରୂପ ଗୁରୁଦ୍ୱାରାରେ ଭଙ୍ଗାରୁଜା କରାଯାଇଥିବା ନେଇ ଅନୁମାନ କରାଯାଉଛି। ସେହିପରି ବ୍ରିଟିଶ୍ କଲମ୍ବିଆ ରାଜ୍ୟର ଲକ୍ଷ୍ମୀ ନାରାୟଣ ମନ୍ଦିରରେ ମଧ୍ୟ ଖାଲିସ୍ତାନୀ ଉଗ୍ରବାଦୀମାନେ ଆକ୍ରମଣ କରିଛନ୍ତି। ଉଗ୍ରବାଦୀମାନେ ମନ୍ଦିରର କାନ୍ଥରେ ଖଲିସ୍ତାନୀ ସମର୍ଥିତ ସ୍ଲୋଗାନ୍ ଲେଖିଥିଲେ। କାନାଡାଇ ହିନ୍ଦୁ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯିବା ସହ ଘଟଣାକୁ ନେଇ ଖଲିସ୍ତାନୀ ଉଗ୍ରବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରାଯାଇଛି।


