Categories: ଜାତୀୟ

ଖଲିସ୍ତାନୀ ସମର୍ଥକଙ୍କୁ ମିଳୁଛି ବିଦେଶୀ ଫଣ୍ଡିଂ: ଭଗୱନ୍ତ ମାନ୍‌

ନୂଆଦିଲ୍ଲୀ/ଚଣ୍ଡିଗଡ଼,୨୭।୨: ପଞ୍ଜାବ ଅଜନାଲା ଥାନାରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ ଘଟଣା ଉପରେ ମୁହଁ ଖୋଲିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ । ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମାନ୍‌ ୧ ହଜାର ଲୋକଙ୍କୁ ନେଇ ପଞ୍ଜାବ କହିପାରିବେ ନାହିଁ ବୋଲି କହିଛନ୍ତି। କିଛି ଲୋକ ଅଛନ୍ତି ତାଙ୍କୁ ବିଦେଶ ତଥା ପାକିସ୍ତାନରୁ ଫଣ୍ଡିଂ ଆସୁଛି। ଏଭଳି ଖଳ ପ୍ରକୃତିର ଲୋକ ହିଁ ପଞ୍ଜାବର ଶାନ୍ତି ଭଙ୍ଗକରିବାକୁ ଚାହୁଁଛନ୍ତି ।

ଗତ ଗୁରୁବାର ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂ ଓ ତାଙ୍କର ସମର୍ଥକ ଅମୃତସରର ଅଜନାଲା ଥାନା ଉପରେ ଆକ୍ରମଣ କରିଥିଲେ। ସାଥୀ ଲଭପ୍ରୀତ ସିଂ ତୁଫାନଙ୍କୁ ଜେଲରୁ ଛଡ଼ାଇବାକୁ ଅମୃତପାଲ ଥାନାରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଅନେକ ପୋଲିସ କର୍ମୀ ଆହତ ହୋଇଥିଲେ । ପରେ ଚାପରେ ଆସି ଲଭପ୍ରୀତ, ତୁଫାନଙ୍କୁ ଛାଡ଼ି ଦିଆଯାଇଥିଲା । କିନ୍ତୁ ପୋଲିସ ପକ୍ଷରୁ କୁହାଯାଇଥିଲା ଯେ, ଲଭପ୍ରୀତଙ୍କ ବିରୋଧରେ କୌଣସି ପ୍ରମାଣ ନ ମିଳିବାରୁ ତାଙ୍କୁ ଛାଡ଼ି ଦିଆଯାଇଥିବା ଅବଗତ କରାଯାଇଥିଲା।

ତେବେ ଏହି ଘଟଣାକୁ ନେଇ ପଞ୍ଜାବ ପୋଲିସକୁ ଗୃହ ମନ୍ତ୍ରଣାଳୟ ରିପୋର୍ଟ ମାଗିଛି । ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଯଥାଶୀଘ୍ର ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଜାରି କରିଛି ଗୃହ ମନ୍ତ୍ରଣାଳୟ । ଅନ୍ୟପଟେ ମାନ୍‌ ଏହି ଘଟଣାକୁ ନେଇ କହିଛନ୍ତି, ପଞ୍ଜାବକୁ କାହିଁକି ଡ୍ରୋନ୍‌ ଯୋଗେ ଅସ୍ତ୍ରଶସ୍ତ୍ର ଆସୁଛି । କାରଣ ବିଦେଶରେ ବସିଥିବା ମୁଖିଆ ପଞ୍ଜାବର ଶାନ୍ତିକୁ ଭଙ୍ଗ କରିବାକୁ ଚାହୁଁଛନ୍ତି । କିନ୍ତୁ ପଞ୍ଜାବର ଭାଇଚାରା ଓ ଶାନ୍ତି କେବେ ଭଙ୍ଗ ହେବ ନାହିଁ ।

ମିଳିଥିବା ସୂଚନା ମୁତାବକ, ଗତ ୧୮ ଫେବୃୟାରୀରେ ଦଙ୍ଗା ଓ ଅପହରଣ ଅଭିଯୋଗରେ ଲଭପ୍ରୀତ ସିଂ ତୋଫାନଙ୍କୁ ଗିରଫ କରିଥିଲା ପଞ୍ଜାବ ପୋଲିସ । ଏହାପରେ ଲଭପ୍ରୀତଙ୍କୁ ଛାଡ଼ିଦେବାକୁ ପଞ୍ଜାବର ବିଭିନ୍ନ ସ୍ଥାନରେ ଦାବି ହୋଇଥିଲା । କିନ୍ତୁ ପୋଲିସ ଏହି ଦାବି ପ୍ରତି ଗୁରୁତ୍ୱ ନ ଦେବାରୁ ଅମୃତପାଲ ସିଂଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏପରିକି ଥାନା ଉପରେ ଆକ୍ରମଣ କରିଥିଲେ ଖାଲିସ୍ତାନୀ ସମର୍ଥକ।

Share