Categories: ଖେଳ

ଭାରତ ଟେଷ୍ଟ ଦଳର ଅଧିନାୟକ କିଏ ହେବା ଉଚିତ? ପିଟରସନ କହିଲେ…

ମସ୍କାଟ,୨୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ହାରିବା ପରେ କୋହଲି ଭାରତୀୟ ଟେଷ୍ଟ ଅଧିନାୟକତ୍ୱରୁ ଇସ୍ତଫା ଦେଇ କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଛନ୍ତି। ଏହାପରେ ତାଙ୍କ ସ୍ଥାନ କିଏ ନେବ ସେନେଇ ଆଲୋଚନା ହେବାରେ ଲାଗିଛି। ଏହି କ୍ରମରେ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ ତାଙ୍କ ରାୟ ଦେଇଛନ୍ତି। କୋହଲିଙ୍କ ଟେଷ୍ଟ ଅଧିନାୟକତ୍ୱ ଛାଡିବା ନିଷ୍ପତ୍ତି ବାୟୋ-ବବୁଲ ପାଇଁ ହୋଇପାରେ ବୋଲି ସେ କହିବା ସହ ରୋହିତ ଶର୍ମାଙ୍କୁ ତିନୋଟି ଫର୍ମାଟର ଅଧିନାୟକତ୍ୱ ପ୍ରଦାନ କରିବାକୁ ସେ କହିଛନ୍ତି।

ପିଟରସନ ଏଠାରେ ଗଣମାଧ୍ୟମକୁ କହିଛନ୍ତି, ‘ ଯେଉଁମାନେ ଆଜିର ଖେଳାଳିଙ୍କୁ ସମାଲୋଚନା କରୁଛନ୍ତି, ସେମାନେ ମୂର୍ଖ। କାରଣ ବାୟୋ ବବୁଲ୍‌ରେ ଖେଳିବା ଅତ୍ୟନ୍ତ କଷ୍ଟକର। କାହା ପ୍ରତି କଠୋର ମନୋଭାବ ଗ୍ରହଣ କରିବା, ସମାଲୋଚନା କରିବା ଅନ୍ୟାୟ ହେବ। ଆପଣ ବିରାଟ କୋହଲିଙ୍କୁ ଦେଖି ନାହାନ୍ତି। କୋହଲିଙ୍କୁ ଦର୍ଶକ ଲୋଡା। ସେ ଏପରି ପରିବେଶରେ ଭଲ ପ୍ରଦର୍ଶନ କରନ୍ତି। ତାଙ୍କ ଭଳି ଖେଳାଳିଙ୍କ ପାଇଁ ଏହି ବାୟୋ ବବୁଲରେ ଯଥାସମ୍ଭବ ପ୍ରଦର୍ଶନ କରିବା କଷ୍ଟକର ଅଟେ।’
ଏହାଛଡ଼ା ସେ ହିଟମ୍ୟାନ୍‌ ରୋହିତଙ୍କୁ ପସନ୍ଦ କରନ୍ତି। ସେ ଜଣେ ଭଲ ଖେଳାଳି। ସବୁବେଳେ ସେ ତାଙ୍କ ବ୍ୟାଟିଂକୁ ଉପଭୋଗ କରେ। ତାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ବହୁତ ଭଲ ପ୍ରଦର୍ଶନ କରିଛି, ତେଣୁ ସେ ଅଧିନାୟକତ୍ୱ ଦୌଡ଼ରେ ଆଗରେ ଅଛନ୍ତି ବୋଲି ପିଟରସନ କହିଛନ୍ତି।

Share