କେସିଙ୍ଗା,୧୧।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଂଘ କେସିଙ୍ଗା ପକ୍ଷରୁ କେସିଙ୍ଗା ଓ କାଣ୍ଡେଲ ରୋଡ଼ ରେଳ ଷ୍ଟେଶନର ୯ ଦଫା ସମସ୍ୟାକୁ ନେଇ ରେଳ ଯାତ୍ରୀ ସଂଘର ସଭାପତି ସୁବାଷ ଜୈନଙ୍କ ସଭାପତିତ୍ୱରେ ଏକ ବୈଠକ ସ୍ଥାନୀୟ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା। ସଂଘ ପକ୍ଷରୁ ୯ଦଫା ବିଶିଷ୍ଟ ସମସ୍ୟାକୁ ଜିଏମ ଓ ଡ଼ିଆରଏମଙ୍କୁ ଅଭିଯୋଗ କରିଛନ୍ତି। ମୁଖ୍ୟ ଅଭିଯୋଗ ଯେ,ଜୁନାଗଡ଼ରୁ ହାୱାଡ଼ ଯାଉଥିବା ଇସ୍ପାତ ଟ୍ରେନଟି ମାସକୁ ପ୍ରାୟ ୨୦ଦିନ ୬ରୁ ୮ଘଣ୍ଟା ବିଳମ୍ବରେ ଯାଉଥିବାରୁ ଯାତ୍ରୀମାନେ ବହୁତ ହଇରାଣ ହେଉଛନ୍ତି। ଏହି ଇସ୍ପାତ ଟ୍ରେନ ଜୁନାଗଡ଼ରୁ ସକାଳେ ବାହାରି ନିର୍ଦ୍ଦିଷ୍ଟ ଏକ ଷ୍ଟେଶନ ୬ରୁ ୮,କେବେ କେବେ ୧୦ରୁ ୧୬ ଘଣ୍ଟା ବିଳମ୍ବ କରୁଛି। ରେଳ ବିଭାଗ ଏହା ଜାଣି ଶୁଣି ବିଳମ୍ବ କରୁଥିବାର ଜଣାପଡ଼ିଛି।
ଜୁନାଗଡ଼ରୁ କେସିଙ୍ଗାକୁ ୮୭କିମି ପାଇଁ ଏତେ ବିଳମ୍ବ କାହିଁକି ହେଉଛି ବୋଲି ସଂଘ କ୍ଷୋଭ ପ୍ରକାଶ କରିଛି।ତେଣୁ କେସିଙ୍ଗା ଷ୍ଟେଶନକୁ ନିର୍ଦ୍ଧାରିତ ସମୟରେ ପହଞ୍ଚିବା ପାଇଁ ସଂଘ ଦାବି କରିଛି। କେସିଙ୍ଗା ରେଲୱେ ଷ୍ଟେଶନର ପ୍ଲଟ ଫାର୍ମ ନ. ୧ ଓ ୪ରେ ନୂତନ ଶୌଚାଳୟ ତିଆରି ହୋଇଛି। ତାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରାଯାଇଛି।
କେସିଙ୍ଗା ଓ ଟିଟିଲାଗଡ ସୀମାନ୍ତ ଅଞ୍ଚଳରେ ଥିବା ଲୁଥରବନ୍ଦ ଗ୍ରାମଠାରେ ଏକ ନୂତନ ରେଲୱେ ଷ୍ଟେଶନ ସ୍ଥାପନ କରା ପାଇଁ ସଂଘ ଦାବି କରିଛି। ସମସ୍ତ ଯାତ୍ରୀବାହୀ ଦ୍ରୁତଗାମୀ ଟ୍ରେନ ୨ ମିନିଟ ରହିବା ପରିବର୍ତ୍ତେ ୫ ମିନିଟ ପାଇଁ ଦାବି ହୋଇଛି। ସମତା ଏକ୍ସପ୍ରେସ ଡାଉନ ଟ୍ରେନ ନ.୧୨୮୦୭ ବିଶାଖାପାଟଣାଠାରୁ ବାହାରି ନିଜାମୁଦ୍ଦିନ ଯାଉଛି।ସେହି ଟ୍ରେନକୁ ଫିରୋଜପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଉ। ଯାହା ଫଳରେ ପଞ୍ଜାବ ଓ ହରିୟାଣାର ଯାତ୍ରୀମାନେ ସୁବିଧା ପାଇ ପାରିବେ । ଉକ୍ତ ଟ୍ରେନଟି ବିଶାଖାପାଟଣାରୁ ସକାଳ ୬ ଘଣ୍ଟାରେ ଛାଡ଼ୁ ଏବଂ ନର୍ଲା ରୋଡ,ରୁପ୍ରା ରୋଡ ରେଳ ଷ୍ଟେଶନରେ ୨ ମିନିଟ ରହଣି ପାଇଁ ସଂଘ ଦାବି କରିଛି। କେସିଙ୍ଗା ରେଳ ଷ୍ଟେଶନରେ ଜିଆରପି ପୋଲିସ ନ ଥିବାରୁ ବିଭିନ୍ନ ସମୟରେ ଚୋରି ଡକାୟତି ହେଉଛି । ତେଣୁ ଯଥାଶୀଘ୍ର ରେଳ ଷ୍ଟେଶନରେଏକ ନୂତନ ରେଲୱେ ପୋଲିସ ଫାଣ୍ଡି ଖୋଲିବାକୁ ଦାବି କରିବା ସହ କେସିଙ୍ଗାରୁ ଭୁବନେଶ୍ୱରକୁ ସିଧାଏକ ନୂତନ ଟ୍ରେନ ଚଳାଚଳ କରିବାକୁ ଦାବି ହୋଇଛି।
ସେହିପରି କାଣ୍ଡେଲ ରୋଡ ରେଳ ଷ୍ଟେଶନର ଥିବା ପ୍ଲାଟ ଫାର୍ମ ନ ୧ ଓ ୨ରେ ଭଗ୍ନ ଅବସ୍ଥାରେ ଥିବା ଶୌଚାଳୟକୁ ତୁରନ୍ତ ମରାମତି କରିବା ପାଇଁ ଦାବି କରାଯାଇଛି। ପ୍ଲାଟଫର୍ମ ୧, ୨,୩ ଓ ୪ ନମ୍ବରରେ ଏ ମୁଣ୍ଡରୁ ସେମୁଣ୍ଡ ଯାଏ ବିଦ୍ୟୁତ ସଂଯୋଗ କରିବା ସହିତ ସମସ୍ତ ଲାଇଟ ଗୁଡ଼ିକକୁ ମରାମତି କରାଯିବା ପାଇଁ ସଂଘ ଦାବି କରିଛି। ଦୀର୍ଘ ଦିନ ହେଲା ପାନୀୟ ଜଳର ଷ୍ଟାଣ୍ଡ ପୋଷ୍ଟ ଭଗ୍ନ ଅବସ୍ଥାରେ ପଡିରହିଛି । ତୁରନ୍ତ ମରାମତି କରିବାକୁ ସଂଘ ଦାବି କରିଛି। କେସିଙ୍ଗା ରେଳ ଷ୍ଟେଶନରେ
ପ୍ଲାଟଫର୍ମ ୧ ଓ ୪ ନମ୍ବରରେ ଅଧିକାଂଶ ସମୟରେ ଦ୍ରୁତଗାମୀ ଟ୍ରେନ ଆସୁ ନ ଥିବାରୁ ଯାତ୍ରୀ ମାନେ ହଇରାଣ ହେଉଛନ୍ତି ।