କେଶରୀ ଇଷ୍ଟେଟ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର,୯ା୯ (ବ୍ୟୁରୋ): ଘର ଦେବା ଆଳରେ ଜମାକାରୀଙ୍କଠାରୁ ସାଢେ ୫ କୋଟି ଟଙ୍କା ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ କେଶରୀ ଇଷ୍ଟେଟର ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ସେ ହେଲେ ଫରେଷ୍ଟ ପାର୍କ ପ୍ଲଟ ନଂ.୨୬୧ରେ ରହୁଥିବା ଅକ୍ଷୟ କୁମାର ଚୌଧୁରୀ। କ୍ରାଇମବ୍ରାଞ୍ଚ ତାଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା (ନଂ.୬/୨୦) ରୁଜୁ କରି କଟକ ଓପିଆଇଡି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଏହି ସଂସ୍ଥାର ଏମ୍‌ଡିଥିବା ଅଜୟ ଚୌଧୁରୀ, ବିଦୁଲତା ଚୌଧୁରୀ ଏବଂ ଆଲୋକ ଚୌଧୁରୀଙ୍କୁ ଗିରଫ ପାଇଁ ଇଓଡବ୍ଲ୍ୟୁ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ,ଖାରବେଳନଗର ଥାନା ଅନ୍ତର୍ଗତ କେଶରୀ ଟକିଜ ନିକଟରେ ଉକ୍ତ ବିଲ୍ଡର ସଂସ୍ଥା ଅଫିସ ଖୋଲି ଲୋକଙ୍କୁ ଜମି ଓ ଘର ବିକ୍ରି କରୁଥିଲା। ଏହି ସଂସ୍ଥା ୨୦୦୮ରେ ପୋଖରୀପୁଟ ନିକଟରେ ୩୦ଟି ଡୁପ୍ଲେକ୍ସ ପ୍ରୋଜେକ୍ଟ ଆରମ୍ଭ କରିଥିଲା। ଏଥିପାଇଁ ଲୋକଙ୍କଠାରୁ ୩୦ଲକ୍ଷ ଲେଖାଏ ନେଇଥିଲା। ପରବର୍ତ୍ତୀ ସମୟରେ ବିଡିଏ ଅନୁମତି ମିଳୁ ନ ଥିବା କହି ସମୟ ଗଡାଇବା ସହ ଲୋକଙ୍କୁ ଭୁଅଁା ବୁଲାଇଥିଲା। କିନ୍ତୁ ଉକ୍ତ ସଂସ୍ଥା ବିଡ଼ିଏ ଆପ୍ରୁଭାଲ ପାଇଁ କୌଣସି ଆବେଦନ କରି ନ ଥିବା ଜଣାପଡିବା ପରେ ଜମାକାରୀମାନେ ଟଙ୍କା ଫେରିପାଇବା ପାଇଁ ଦାବି କରିବାରୁ ୨୦୧୩ରେ ଅନ୍ୟଏକ ପ୍ରୋଜେକ୍ଟ ଯଦୁପୁରରେ ଆରମ୍ଭ କରିଥିଲା। ସେଠାରେ ୪୪ଟି ଡୁପ୍ଲେକ୍ସ ହେବ ଓ ପ୍ରଥମେ ଟଙ୍କା ଦେଇଥିବା ଲୋକଙ୍କୁ ଘର ଦିଆଯିବ ବୋଲି ସଂସ୍ଥା ପ୍ରତିଶ୍ରୁତି ଦେବା ସହ ବିଶ୍ୱାସ ଜନ୍ମାଇବା ପାଇଁ ବିଡ଼ିଏ ଆପ୍ରୁଭାଲ ଦେଖାଇଥିଲା। ଏଥିସହ ସମ୍ପୃକ୍ତ ଲୋକଙ୍କଠାରୁ ଆଉ କିଛି ଟଙ୍କା ମଧ୍ୟ ନେଇଥିଲା। ଏପରି ଭାବେ ୧୮ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସାଢେ ୫ କୋଟି ଟଙ୍କା ଦେଇ ଘର ପାଇବାକୁ ଅନାଇ ବସିଥିଲେ। ହେଲେ କିଛି ବି ନିର୍ମାଣ କାର୍ଯ୍ୟ ନ ହେବାରୁ ଲୋକେ ସଂସ୍ଥାର କାର୍ଯ୍ୟାଳୟକୁ ଯାଇ ହୋହଲ୍ଲା କରିବା ସହ ଟଙ୍କା ଫେରାଇବାକୁ ଦାବି କରିଥିଲେ। ଲୋକଙ୍କ ଅସନ୍ତୋଷ ଦେଖି ସଂସ୍ଥା ପକ୍ଷରୁ ସେଠାରେ ପାଚେରି ଓ କିଛି ଖୁଣ୍ଟ ନିର୍ମାଣ କରି ପରେ ବନ୍ଦ କରିଦେଇଥିଲା। ଜମାକାରୀମାନେ ସଂସ୍ଥାର କାର୍ଯ୍ୟାଳୟକୁ ଯାଇ ତାଲା ଝୁଲୁଥିବା ଦେଖିବା ପରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଏନେଇ ଗତମାସ ୩୦ ତାରିଖରେ ‘ଧରିତ୍ରୀ’ ଖବର ପ୍ରକାଶ ପାଇଥିଲା। ଇଓଡବ୍ଲ୍ୟୁ ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରି ଶେଷରେ ସୋମବାର ରାତିରେ ଅକ୍ଷୟଙ୍କୁ ତାଙ୍କ ଫରେଷ୍ଟ ପାର୍କସ୍ଥିତ ଘରୁ ଗିରଫ କରିଥିଲା।