ଡିଜେଲଠାରୁ କିରୋସିନ ମହଙ୍ଗା

ଚଣ୍ଡିଖୋଲ,୨୪।୭(ଡି.ଏନ.ଏ.): ଗରିବ ଲୋକ ଘରେ ଡିବିରି ଓ ଲଣ୍ଠନ ଜାଳିବା ସହ ରନ୍ଧନ ପାଇଁ କିରୋସିନ ବ୍ୟବହାର କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ରିହାତିରେ କିରୋସିନ ଯୋଗାଇ ଦିଆଯାଉଛି। ମାତ୍ର ଏବେ ଏହାର ମୂଲ୍ୟ ୧୦୦ ଟପିଗଲାଣି। ୨୦୨୨ରୁ କିରୋସିନ ଦାମ ଦିନକୁ ଦିନ ବୃଦ୍ଧି ପାଉଛି। ଏପରି କି ୬ ମାସ ମଧ୍ୟରେ ଲିଟରପିଛା ୪୦ ଟଙ୍କା ବୃଦ୍ଧି ପାଇଥିବା ଦେଖାଯାଇଛି। ବର୍ତ୍ତମାନ ଡିଜେଲ ଲିଟର ପିଛା ୯୪.୬୧ ଟଙ୍କା ଥିବାବେଳେ କିରୋସିନ ଲିଟର ୧୦୨ ଟଙ୍କା ହୋଇଛି, ଯାହାକି ଡିଜେଲଠାରୁ କିରୋସିନ ଅଧିକ ଏବଂ ପେଟ୍ରୋଲ ସହ ସମାନ।
ଜାନୁୟାରୀରେ କିରୋସିନ ଲିଟର ୬୨ ଟଙ୍କା ଥିବାବେଳେ ଫେବୃୟାରୀରେ ଏହା ୧୨ ଟଙ୍କା ବଢି ୭୪ ଟଙ୍କାରେ ପହଞ୍ଚତ୍ଥିଲା। ପୁନର୍ବାର ଏପ୍ରିଲରେ ଏହା ଆଉ ୯ ଟଙ୍କା ବଢି ୮୩ ଟଙ୍କା ହୋଇଥିଲା। ୩ମାସ ଦାମ ସ୍ଥିର ରହିଥିବାବେଳେ ଜୁଲାଇରେ ଏହା ୧୦୨ ଟଙ୍କା ହୋଇଛି। ପ୍ରତ୍ୟେକ ବ୍ଲକସ୍ତରରେ ରହିଥିବା ହୋଲସେଲରମାନେ ୯୯ ଟଙ୍କା ମୂଲ୍ୟରେ ରିଟେଲରଙ୍କୁ ଲିଟର ପିଛା ହିସାବରେ ବିକ୍ରି କରିବେ। ଏହାକୁ ରିଟେଲରମାନେ ଆଣି ତାଙ୍କର ଖର୍ଚ୍ଚ ଓ ଲାଭକୁ ମିଶାଇ ୧୦୨ ଟଙ୍କାରେ ବିକ୍ରି କରୁଥିବା ଦେଖାଯାଉଛି। ସେଥିପାଇଁ ରିଟେଲର ଓ ହୋଲସେଲରଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ଯାଜପୁର ଜିଲା ବଡ଼ଚଣା ବ୍ଲକରେ ସିଟି କିରୋସିନ ହୋଲସେଲର ଭାବେ ନିଯୁକ୍ତି ପାଇଛି। ହେଲେ ଜୁଲାଇରେ କିରୋସିନ ଆଦୌ ନ ଉଠାଇବା ପାଇଁ ନିଷ୍ପତ୍ତି ହୋଇଥିବା ସିଟି କିରୋସିନର ପୋପ୍ରାଇଟର ବଜରଙ୍ଗଲାଲ ଶର୍ମା ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁଯାୟୀ କୌଣସି ରିଟେଲର ଏତେ ଦାମ ଦେଇ କିରୋସିନ ନେବାକୁ ରାଜି ନୁହନ୍ତି। ଯେହେତୁ ଅତ୍ୟଧିକ ମୂଲ୍ୟ ବୃଦ୍ଧି ପାଇଲା ସେଥିନେଇ ଗ୍ରାହକ ବି କିରୋସିନ ନେବାକୁ ଚାହୁଁନାହାନ୍ତି। ଅନ୍ୟପକ୍ଷରେ ଏହି ତେଲ ପୂର୍ବରୁ ପରିବାର ପିଛା ୩ ଲିଟର ଦିଆଯାଉଥିଲା। ପରେ ଏହାକୁ ୨.୫ ଲିଟରକୁ କମାଇ ଦିଆଗଲା। ୨୦୨୨ ଜାନୁୟାରୀରେ ଏହାକୁ ୧.୨୫୦ ଲିଟର ଲେଖାଏ ପରିବାର ପିଛା ଦିଆଯିବାକୁ ସ୍ଥିର କରାଯାଇଥିଲା। ତେବେ ଚଳିତ ମାସରେ ଏହି କୋଟା କମାଯାଇ ପରିବାରକୁ ୧ ଲିଟର ୧୦୦ ମିଲି ଦେବାକୁ ସରକାରଙ୍କ ପକ୍ଷରୁ ସ୍ଥିର ହୋଇଛି। ତାକୁ ନେବାକୁ ମଧ୍ୟ ଗ୍ରାହକ ଆସୁନାହାନ୍ତି। ସମୟ ଥିଲା ଘରେ ଡିବିରି, ଲଣ୍ଠନ ଜଳାଇବା ପାଇଁ କିରୋସିନର ଯଥେଷ୍ଟ ଆବଶ୍ୟକତା ରହିଥିଲା। ବର୍ଷାଦିନରେ ରୋଷେଇ ପାଇଁ କିରୋସିନକୁ ବ୍ୟବହାର କରାଯାଉଥିଲା। ପ୍ରତ୍ୟେକ ଗାଁକୁ ବିଦ୍ୟୁତ୍‌ ଯୋଗାଣ ହୋଇଥିବା ବେଳେ ଏବେବି ବହୁ ଆଦିବାସୀ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ହୋଇନାହଁି। ସେମାନେ କିରୋସିନ ଉପରେ ନିର୍ଭର କରି ଚଳିଥାନ୍ତି। ବିଦ୍ୟୁତ୍‌ କାଟ ସମୟରେ ମଧ୍ୟ କିରୋସିନର ଯଥେଷ୍ଟ ଆବଶ୍ୟକତା ରହିଥାଏ। ତେବେ ମୂଲ୍ୟ ବୃଦ୍ଧି ଯୋଗୁ ସାଧାରଣ ଗରିବ ଲୋକେ କିରୋସିନ କିଣିବା ସମ୍ଭବ ହେଉନାହଁି, ଏହାଦ୍ୱାରା ସିଧାସଳଖ ଗରିବ, ଦଳିତ ଓ ଆଦିବାସୀ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ଦର କମାଇବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି। ଏ ସମ୍ପର୍କରେ ଯାଜପୁର ଜିଲା ସହକାରୀ ଯୋଗାଣ ଅଧିକାରୀ ପ୍ରହଲ୍ଲାଦ ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି, ଅତ୍ୟଧିକ ମୂଲ୍ୟ ବୃଦ୍ଧି ଯୋଗୁ ରିଟେଲର କିରୋସିନ ଉଠାଇବାକୁ ରାଜିନୁହନ୍ତି। ଦୁଇମାସ ହେବ ଜିଲାର ରିଟେଲର କିରୋସିନ ଆଣୁନାହାନ୍ତି। କେବଳ ସେମାନଙ୍କ ପାଖରେ ଗଚ୍ଛିତ ଥିବା କିରୋସିନ ବିକ୍ରି କରୁଥିବେ। ଏପରି କି ମୂଲ୍ୟବୃଦ୍ଧି ଯୋଗୁ ସାଧାରଣରେ କିରୋସିନ ବିକ୍ରି କଷ୍ଟକର ହେବ ବୋଲି ସେ ପ୍ରକାଶ କରିଛନ୍ତି।