ଇସ୍ରାଏଲ୍‌ରେ ଗଲା କେରଳୀଙ୍କ ଜୀବନ

ଗାଜା ସିଟି,୧୨।୫:ବିବାଦୀୟ ଜେରୁଜେଲମ୍‌କୁ ନେଇ ଉତ୍ତେଜନା ଲାଗିରହିଥିବାବେଳେ ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ର ହମାସ୍‌ ଆତଙ୍କବାଦୀ ମୁହଁ।ମୁହିଁ ହୋଇଛନ୍ତି। ଇସ୍ରାଏଲ୍‌ ପକ୍ଷରୁ ମଙ୍ଗଳବାର ଗାଜା ଉପରେ ଆକାଶମାର୍ଗରୁ ରକେଟ ମାଡ଼ କରାଯାଇଛି। ଏହାର ଜବାବରେ ହମାସ୍‌ ଆତଙ୍କବାଦୀ ଶତାଧିକ ରକେଟ ମାଡ଼ କରିଛନ୍ତି। ଉଭୟ ପକ୍ଷରୁ ଆକ୍ରମଣ ଓ ପ୍ରତିଆକ୍ରମଣରେ ୨ ଇସ୍ରାଏଲ୍‌ ନାଗରିକ ଏବଂ ଅନୂ୍ୟନ ୧୬ ଆତଙ୍କବାଦୀ ନିହତ ହୋଇଛନ୍ତି। ପାଲେଷ୍ଟାଇନ୍‌ର ୨୮ ମୃତକଙ୍କ ମଧ୍ୟରେ ୧୦ ଶିଶୁ ଓ ୨ ଜଣ ମହିଳା ଅଛନ୍ତି। ୨ ମହିଳାଙ୍କ ମଧ୍ୟରୁ ଜଣେ କେରଳର ସୌମ୍ୟା ବୋଲି ଜଣାପଡ଼ିଛି।
ଇଡୁକ୍କି ଜିଲାର ଆଦିମାଲି ନିକଟ କାଞ୍ଜିରାମଥନମ୍‌ ବାସିନ୍ଦା ୩୦ ବର୍ଷୀୟା ସୌମ୍ୟା ଇସ୍ରାଏଲ୍‌ସ୍ଥିତ ଆଶ୍‌କେଲୋନ୍‌ ସହରର ଏକ ଘରେ କେୟାରଟେକର ଭାବେ କାର୍ଯ୍ୟ କରୁଥିଲେ। ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗାଜା-ଇସ୍ରାଏଲ୍‌ ସୀମାନ୍ତ ଆଶ୍‌କେଲୋନ୍‌ରେ ଥିବାବେଳେ ମୋର୍ଟାର ସେଲ୍‌ ଆକ୍ରମଣ ହୋଇଥିଲା। କୋଠାଟି ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା। ସୌମ୍ୟାଙ୍କ ସହ ଅନ୍ୟ ଜଣେ ମହିଳା ଏଥିରେ ପ୍ରାଣ ହରାଇଛନ୍ତି। ଇସ୍ରାଏଲ୍‌ରେ ରହୁଥିବା ତାଙ୍କ ଭଉଣୀ ଶେର୍ଲି ବେନ୍ନି ଏହି ମୃତ୍ୟୁ ଖବର ଦେଇଛନ୍ତି। ସୌମ୍ୟା ସେଠାରେ ୭ ବର୍ଷ ହେଲା କାର୍ଯ୍ୟ କରୁଥିଲେ। ସେ ୨୦୧୭ରେ କେରଳ ଆସିଥିଲେ। ତାଙ୍କ ମୃତଦେହ ଆଣିବା ପାଇଁ ଇସ୍ରାଏଲସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରାଯାଇଛି ବୋଲି ପରିବାର ପକ୍ଷରୁ କୁହାଯାଉଛି।

Share